ସଡ଼କ ଦୁର୍ଘଟଣାରେ ଶାଳୀ ମୃତ, ଭିଣୋଇ ଗୁରୁତର
ତାଳଚେର, ୧୪/୧୦ ତାଳଚେର ଥାନା ଅନ୍ତର୍ଗତ ନଂ-୧୪୯ ଜାତୀୟ ରାଜପଥ ବାଇପାସ୍ ଛକ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଶାଳୀ ମୃତ୍ୟୁ ହୋଇଥିବା ବେଳେ ଭିଣୋଇ ଗୁରୁତର ଆହାତହୋଇ ମରଣ ସହିତ ସଂଗ୍ରାମ କରୁଥିବା ଘଟଣା ସାରା ଅଂଚଳରେ ଚହଳ ପକାଇ ଦେଇଛି । ଏହି ଜାତୀୟ ରାଜପଥ ସଂପ୍ରସାରଣ ଯୋଗୁଁ ଏନଏଚଆଇ ପକ୍ଷରୁ କାର୍ଯ୍ୟ କରୁଥିବା ଠିକାସଂସ୍ଥା ରାଜପଥକୁ ଏପରି କରି ରଖିଛି ଯେ, ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିବାରେ ଲାଗିଛି । ସୂଚନା ମୂତାବକ ଆଜି ଢ଼େଙ୍କାନାଳ ଜିଲ୍ଳା ଅନ୍ତର୍ଗତ ଗଡ଼ପଳାଶୁଣୀ ଅଂଚଳର ବାଇକରେ ଭିଣୋଇ ଓ ଶାଳୀ ତାଳଚେର ଆଡ଼କୁ ଆସୁଥିବା ବେଳେ ବାଇପାସ ଛକ ନିକଟରେ ଓଡ଼ି୩୫ ଜି- ୧୦୬୮ ହାଇୱା ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଦୁହେଁ ଚକ ତଳେ ଚାପି ହୋଇ ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବାପରେ ଭିଣୋଇଙ୍କର ଗୋଡ଼ କଟି ଯାଇଥିବା ବେଳେ ଶାଳୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଘଟଣା ସ୍ଥଳରେ ପୋଲିସ୍ ପଂହଚି ଉଭୟଙ୍କୁ ତାଳଚେର ସରକାରୀ ମଣ୍ଡାପାଳ ଡ଼ାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ଗୁରୁତର ଅବସ୍ଥାରେ ଭିଣୋଇକୁ ଡ଼ାକ୍ତର ଅନ୍ୟତ୍ର ସ୍ଥାନାନ୍ତରିତ କରି ଦେଇଥିବା ଜଣାପଡ଼ିଛି । ତେବେ ବାରମ୍ବାର ଏହି ରାଜପଥରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଲୋକପ୍ରତିନିଧି ନା ପ୍ରଶାସନ ଏହାର କୌଣସି ସ୍ଥାୟୀ ସମାଧାନ କରୁଛନ୍ତି ତାକୁ ନେଇ ଅଂଚଳରେ ଚର୍ଚ୍ଚା ହେଉଥିବା ବେଳେ ପୂର୍ବରୁ ଜିଲ୍ଳାପାଳ କରିଥିବା ‘ନୋ’ଏଂଟ୍ରି କାହିଁକି ଯେ, ଏଠାରେ ଲାଗୁ କରାଯାଉ ନାହିଁ ଓ ଟ୍ରକ ଗୁଡ଼ିକରେ ହେଲପର ରଖାଯାଉ ନାହିଁ ତାକୁ ନେଇ ଉଠୁଛି ପ୍ରଶ୍ନ?
