Spread the love

ସିଏନଜି ଭରିବା ବେଳେ କାର୍‌ରେ ଭୟଙ୍କର ବିସ୍ଫୋରଣ, ଚୂରମାର୍ ହେଲା ଗାଡ଼ି

କର୍ଜନ: ଗୁଜରାଟର କର୍ଜନ ନିକଟ ୪୮ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ସିଏନଜି ପମ୍ପରେ ଗ୍ୟାସ୍ ଭରିବା ସମୟରେ ଘଟିଛି ଭୟଙ୍କର ବିସ୍ଫୋରଣ। ଘଟଣାରେ ଏକ କାର୍‌ ସମ୍ପୂର୍ଣ୍ଣ ଭାବେ ଚୂରମାର୍ ହୋଇଯାଇଥିବା ବେଳେ ଦୁଇଜଣ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଏକ ଗ୍ୟାସ୍ ପମ୍ପରେ କାର୍‌ରେ ସିଏନଜି ରିଫିଲିଂ ଚାଲିଥିବା ବେଳେ ହଠାତ୍ କାର୍‌ରେ ଲାଗିଥିବା ଗ୍ୟାସ୍ ସିଲିଣ୍ଡରରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଧମାକା ଏତେ ତୀବ୍ର ଥିଲା ଯେ ସିଲିଣ୍ଡରଟି ଦୁଇ ଫାଳ ହୋଇଯିବା ସହ କାର୍‌ର ପଛ ଭାଗ, କାଚ ଓ ଅନ୍ୟାନ୍ୟ ଧାତବ ଅଂଶ ଛିନ୍ନଭିନ୍ନ ହୋଇ ଦୂରକୁ ଛିଟିକି ପଡ଼ିଥିଲା।

ବିସ୍ଫୋରଣର ତୀବ୍ର ଶବ୍ଦରେ ପମ୍ପରେ ଥିବା କର୍ମଚାରୀ, ଚାଳକ ଓ ଆଖପାଖର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ନିକଟରେ ଥିବା ଆଉ ଦୁଇଟି ଯାନ ମଧ୍ୟ ବିସ୍ଫୋରଣର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି। କାର୍‌ ଭିତରେ ସେତେବେଳେ କେହି ନଥିବା କୁହାଯାଉଥିବା ବେଳେ ନିକଟରେ ଥିବା ଦୁଇଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି।

ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲେ।

ତେବେ ବିସ୍ଫୋରଣର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଗ୍ୟାସ୍ ଲିକ୍ କିମ୍ବା ରିଫିଲିଂ ସମୟରେ ଅତ୍ୟଧିକ ଚାପ ଯୋଗୁଁ ଏଭଳି ଘଟିଥାଇପାରେ ବୋଲି ପ୍ରାଥମିକ ଭାବେ ଆଶଙ୍କା କରାଯାଉଛି। ତଦନ୍ତ ପରେ ହିଁ ବିସ୍ଫୋରଣର ସଠିକ୍ କାରଣ ସ୍ପଷ୍ଟ ହେବ।

ଘଟଣା ପରେ ସିଏନଜି ଯାନର ସିଲିଣ୍ଡର ଯାଞ୍ଚ, ନିୟମିତ ରକ୍ଷଣାବେକ୍ଷଣ ଏବଂ ରିଫିଲିଂ ସମୟରେ ସମସ୍ତ ସୁରକ୍ଷା ନିୟମ ପାଳନର ଗୁରୁତ୍ୱ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *