Spread the love

ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା ଦଳର ନୂଆ ଅଧିନାୟିକା ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍‌ରେ ଆସିଛି ଏକ ବଡ଼ ପରିବର୍ତ୍ତନ। ଗୁଆହାଟୀରେ ଅନୁଷ୍ଠିତ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଦଳର ନୂଆ ଅଧିନାୟିକା ଭାବେ ଦାୟିତ୍ୱ ଦିଆଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ସ୍ମୃତି ଦିନିକିଆ ଓ ଟି-୨୦ ଫର୍ମାଟ୍‌ରେ ଦଳର ନେତୃତ୍ୱ ନେବେ।

ଦୀର୍ଘ ସମୟ ଧରି ଦଳର ଉପ-ଅଧିନାୟିକା ଭାବେ ଦାୟିତ୍ୱ ତୁଲାଇଥିବା ସ୍ମୃତି ୨୦୧୩ରୁ ଭାରତୀୟ ଦଳର ଜଣେ ପ୍ରମୁଖ ସଦସ୍ୟ ରହିଆସିଛନ୍ତି। ଏହା ପୂର୍ବରୁ ସେ ୧୮ଟି ଟି-୨୦ ଏବଂ ୪ଟି ଦିନିକିଆ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇ ନିଜ ଅଧିନାୟକତ୍ୱର ଦକ୍ଷତା ଦେଖାଇଛନ୍ତି।

କେବଳ ଅନ୍ତର୍ଜାତୀୟ କ୍ରିକେଟ୍‌ ନୁହେଁ, ମହିଳା ପ୍ରିମିୟର ଲିଗ୍‌ରେ ମଧ୍ୟ ସ୍ମୃତିଙ୍କ ନେତୃତ୍ୱ ସଫଳ ହୋଇଛି। ତାଙ୍କ ଅଧିନାୟକତ୍ୱରେ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୨୪ ଓ ୨୦୨୬ରେ ଚାମ୍ପିଅନ୍ ହୋଇଛି।

ସ୍ମୃତିଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ବିସିସିଆଇ ପକ୍ଷରୁ ମଧ୍ୟ ତାଙ୍କ ଉପରେ ଭରସା ପ୍ରକାଶ କରାଯାଇଛି। ବିସିସିଆଇ ସଭାପତି ମିଥୁନ ମିନ୍ହାସ ଓ ସମ୍ପାଦକ ଦେବଜୀତ ସାଇକିଆ ସ୍ମୃତିଙ୍କ ଅଭିଜ୍ଞତା, ନେତୃତ୍ୱ କ୍ଷମତା ଓ ଦଳକୁ ଆଗକୁ ନେବାର ଦକ୍ଷତା ଉପରେ ଆସ୍ଥା ପ୍ରକାଶ କରିଛନ୍ତି।

ଅଧିନାୟିକା ଦାୟିତ୍ୱ ମିଳିବାକୁ ସ୍ମୃତି ନିଜ ପାଇଁ ଏକ ବଡ଼ ସମ୍ମାନ ଓ ସ୍ୱପ୍ନ ପୂରଣର ମୁହୂର୍ତ୍ତ ବୋଲି କହିଛନ୍ତି। ଏହି ଦାୟିତ୍ୱ ପାଇଁ ବିସିସିଆଇ, ଚୟନକର୍ତ୍ତା ଓ ସାଥୀ ଖେଳାଳିଙ୍କୁ କୃତଜ୍ଞତା ଜଣାଇବା ସହ ଦଳର ସଫଳତା ପାଇଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *