ହାତୀ-ମଣିଷ ସହବସ୍ଥାନ ନେଇ ଆଲୋଚନାଚକ୍ର
ହାତୀ ଓ ମଣିଷଙ୍କ ସୁରକ୍ଷିତ ସହବସ୍ଥାନ, ହାତୀ ଚଳାଚଳ ପଥର ସୁରକ୍ଷା ଏବଂ ଜନସଚେତନତା ଉପରେ ଗୁରୁତ୍ୱ
ଗଜସାଥୀ ହେବେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ
ଢେଙ୍କାନାଳ, ୨୮ା୯ (ନି.ପ୍ର.): ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କୋଇଲପଙ୍ଗିସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମୃତି ସ୍ନାତକ ମହାବିଦ୍ୟାଳୟରେ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ହାତୀ-ମଣିଷ ସହବସ୍ଥାନ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ବନଖଣ୍ଡ ଓ ସେଫ୍ ଏଲିଫ୍ୟାଣ୍ଟ ଫାଉଣ୍ଡେସନର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ହାତୀ ଓ ମଣିଷଙ୍କ ସୁରକ୍ଷିତ ସହବସ୍ଥାନ, ହାତୀ ଚଳାଚଳ ପଥର ସୁରକ୍ଷା ଏବଂ ଜନସଚେତନତା ଉପରେ ଆଲୋଚନା ହୋଇଥିଲା।
ଢେଙ୍କାନାଳ ଡିଏଫ୍ଓ ଲଲିତ କୁମାର ପାତ୍ର ଯୋଗଦେଇ କହିଥିଲେ ଯେ ଜିଲାରେ ଦୀର୍ଘଦିନ ଧରି ହାତୀ-ମଣିଷ ବିବାଦ ଲାଗିରହିଛି। ହାତୀ ଓ ମଣିଷଙ୍କ ମୃତ୍ୟୁ ଘଟଣା ଚିନ୍ତାର ବିଷୟ। ହାତୀମାନେ ଯେଉଁ ଚଳାଚଳ ପଥରେ ଯାଆନ୍ତି, ସେଥିରେ ବାଧା ନଦେଲେ ଅନେକ ଅଘଟଣକୁ ଏଡାଇ ହେବ। ମଣିଷଙ୍କ ଦ୍ୱାରା ହାତୀଙ୍କୁ ହରକତ କରାଯିବା ଫଳରେ ସେମାନେ ପ୍ରତିକ୍ରିୟାଶୀଳ ହୋଇ କ୍ଷତି ଘଟାଇଥାନ୍ତି। ହାତୀ ଆକ୍ରମଣଜନିତ କ୍ଷୟକ୍ଷତି ପାଇଁ ସରକାରୀ ସହାୟତା ଠିକ୍ ସମୟରେ ପ୍ରଦାନ କରାଯାଉଥିବା ସେ ସୂଚନା ଦେଇ ହାତୀ ସୁରକ୍ଷାରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।
ସେଫ୍ ଏଲିଫ୍ୟାଣ୍ଟ ଫାଉଣ୍ଡେସନର ଟ୍ରଷ୍ଟ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ଦେବବ୍ରତ ସ୍ୱାଇଁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ ଯେ କଟକ ଜିଲାର ଖୁଣ୍ଟୁଣି ବନାଞ୍ଚଳରେ ହାତୀ-ମଣିଷ ବିବାଦ ଯୋଗୁଁ ଉଭୟଙ୍କ ମୃତ୍ୟୁ ଘଟୁଥିଲା। ସଚେତନତା ସୃଷ୍ଟି ଓ ଜନସହଯୋଗ ଦ୍ୱାରା ସେଠାରେ ଏହାକୁ ଅନେକାଂଶରେ ରୋକାଯାଇପାରିଛି। ଢେଙ୍କାନାଳ ବନଖଣ୍ଡରେ ରାଜ୍ୟର ଅନ୍ୟତମ ସର୍ବାଧିକ ହାତୀ ରହୁଥିବାରୁ ହାତୀ ଓ ମଣିଷଙ୍କ ମୃତ୍ୟୁ ରୋକିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ସେ କହିଥିଲେ।
ଅବସରପ୍ରାପ୍ତ ମୁଖ୍ୟ ବନ ସଂରକ୍ଷକ ରମେଶ ଚନ୍ଦ୍ର ସେଠୀ, ଅବସରପ୍ରାପ୍ତ ଡିଏଫ୍ଓ ନିମାଇଁ ଚରଣ ମହାନ୍ତି, ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଢେଙ୍କାନାଳ ଶାଖା ମୁଖ୍ୟ ବି. ଉଷା, ରେଡିଓ ସ୍ୱରାଜର ନିର୍ଦ୍ଦେଶକ ଏସ୍. ସଫିକ୍, ସେଫ୍ ଏଲିଫ୍ୟାଣ୍ଟ ଫାଉଣ୍ଡେସନର ସଂଯୋଜକ ଶ୍ୱେତକାନ୍ତ ବେହେରା ଓ ସମାଜସେବୀ ଅଭୟ କୁମାର ସାମଲ o ଶିଶିର ଶତପଥୀ ପ୍ରମୁଖ ଯୋଗଦେଇ ହାତୀ ଓ ଜନଜୀବନର ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ।
କାକୁଡିଭାଗ ସରପଞ୍ଚ ରିନା ସାହୁ, କୃଷିଦା ବେଗମ ଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଗଜସାଥୀ ଭାବେ ସ୍ୱେଚ୍ଛାସେବୀ ଭୂମିକା ନେବାକୁ ଆଗେଇ ଆସିଥିଲେ। ହାତୀ ସମ୍ପର୍କିତ ସୂଚନାର ତ୍ୱରିତ ଆଦାନପ୍ରଦାନ ପାଇଁ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ମଧ୍ୟ ଗଠନ କରାଯାଇଥିଲା। ଢେଙ୍କାନାଳ ସଦର ରେଞ୍ଜର ଉଚ୍ଛବ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
