Spread the love

୧୮ ମଣ୍ଡପରେ ପୂଜା ପାଉଛନ୍ତି ମା’ ଲକ୍ଷ୍ମୀ
ଆଲୋକମାଳା ଓ ଆକର୍ଷଣୀୟ ତୋରଣରେ ଝଲସୁଛି ଘଣ୍ଟପଡ଼ା
ତାଳଚେର, ୨୮/୧୦ ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମରେ ଆରମ୍ଭ ହୋଇଛି ମା’ ଲକ୍ଷ୍ମୀଙ୍କ ୬୬ତମ ପୂଜା ମହୋତ୍ସବ। ଗ୍ରାମର ୧୮ଟି ପୂଜା ମଣ୍ଡପରେ ମା’ ଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଥିବା ବେଳେ ସମଗ୍ର ଗ୍ରାମ ଭକ୍ତିମୟ ପରିବେଶରେ ଉତ୍ସବ ମୁଖର ହୋଇଉଠିଛି l ଗ୍ରାମର ସ୍କୁଲ ସାହି, ବର ସାହି, ବାଲି ସାହି, ଶବର ସାହି, ମଣ୍ଡପ ସାହି, ତିଅର ସାହି, ବଉଳ ଛକ, ମହାନ୍ତି ସାହି, ସାମନ୍ତ ସାହିର ଦୁଇଟି, ମହାପାତ୍ର ସାହି,ମଣ୍ଡପ ସାହି ବଡ଼ ସାହିର ତିନୋଟି ମଣ୍ଡପ, ନାକଟି ସାହି, ଭାଗବତ ସାହି, ଗୋଛାୟତ ସାହି ଓ ଢାବା ମାର୍କେଟ ଆଦି ସ୍ଥାନରେ ଗ୍ରାମର ଥିବା ବିଭିନ୍ନ ପୋଖରୀରୁ ଜଳ କଳସ ଆଣି ମା’ଙ୍କ ପୂଜା ଆୟୋଜିତ ହେଉଛି l ପ୍ରତ୍ୟେକ ପୂଜା ମଣ୍ଡପକୁ ଆକର୍ଷଣୀୟ ଭାବେ ସଜାଯାଇଛି l ସୁନ୍ଦର ମୂର୍ତ୍ତି, ରଙ୍ଗିନ ଆଲୋକମାଳା, ଆକର୍ଷଣୀୟ ତୋରଣ ଓ ମନୋରମ ସାଜସଜ୍ଜାରେ ପୂଜା ମଣ୍ଡପଗୁଡ଼ିକ ଝଲସି ଉଠୁଛି l ନିଜ ନିଜ ସାହିର ପୂଜା ମଣ୍ଡପକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜା କମିଟି ମଧ୍ୟରେ ଏକ ପ୍ରକାର ସୁସ୍ଥ ପ୍ରତିଯୋଗିତା ଦେଖିବାକୁ ମିଳୁଛି l ଦଶଦିନ ଧରି ଚାଲିଥିବା ଏହି ପୂଜା ମହୋତ୍ସବରେ ମା’ ଲକ୍ଷ୍ମୀଙ୍କ ଦର୍ଶନ ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି l ପୂଜା ମଣ୍ଡପଗୁଡ଼ିକରେ ମା’ଙ୍କ ନିକଟରେ କାକରା ପିଠା, କ୍ଷୀରି, ଜିଲାପି, ଆରିସା ପିଠା ଓ ଅନ୍ନପ୍ରସାଦ ଭୋଗ ଲାଗି କରାଯାଉଛି l ପରେ ଏହି ପ୍ରସାଦ ଭକ୍ତମାନଙ୍କୁ ବଣ୍ଟନ କରାଯାଉଛି l ଏଥିସହ ପ୍ରତ୍ୟେକ ସନ୍ଧ୍ୟାରେ ପୂଜା ମଣ୍ଡପ ସମ୍ମୁଖରେ ନାମ ସଂକୀର୍ତ୍ତନ ପରିବେଷଣ କରାଯାଉଥିବାରୁ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି l ମା’ ଲକ୍ଷ୍ମୀଙ୍କ ଆରାଧନା, ଆଲୋକସଜ୍ଜା ଓ ପାରମ୍ପରିକ ଭୋଗରାଗରେ ଘଣ୍ଟପଡ଼ା ଗ୍ରାମ ଉତ୍ସବମୁଖର ହୋଇପଡ଼ିଛି l

Leave a Reply

Your email address will not be published. Required fields are marked *