୨୦୨୯ ସୁଦ୍ଧା “ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ” ଗଠନ ପାଇଁ ୪୪ ଦିନିଆ ଅଭିଯାନ ଆରମ୍ଭ

ଅନୁଗୋଳ,୦୨.୧୦ : ପବିତ୍ର ଗାନ୍ଧୀ ଜୟନ୍ତୀର ଶୁଭ ଅବସରରେ ସମସ୍ତ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଶ୍ରମ ବିଭାଗ ତରଫରୁ ୨୦୨୯ ସୁଦ୍ଧା “ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ” ଗଠନ କରିବା ଲକ୍ଷ୍ୟ ନେଇ ଏକ ୪୪ ଦିନିଆ ବ୍ୟାପକ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିବା ଏହି ରାଜ୍ୟବ୍ୟାପୀ ଅଭିଯାନ ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଶିଶୁ ଶ୍ରମ ନିବାରଣ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାମସଭା ଏବଂ ସଚେତନତା କାର୍ଯ୍ୟକ୍ରମରେ ସରପଞ୍ଚ, ସ୍ୱୟଂ ସହାୟକ ଗୋଷ୍ଠୀ (SHG) ର ସଦସ୍ୟା, ଆଶାକର୍ମୀ, ୱାର୍ଡ଼ ମେମ୍ବର, ସହାୟକ ଶ୍ରମ ଅଧିକାରୀଙ୍କ ସମେତ ସ୍ଥାନୀୟ ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ସଦସ୍ୟ ଶିଶୁ ଶ୍ରମର ସମ୍ପୂର୍ଣ୍ଣ ନିରାକରଣ, ଶିଶୁମାନଙ୍କୁ ଶ୍ରମରୁ ମୁକ୍ତ ରଖିବା ଏବଂ ନିଜ ନିଜ ଗ୍ରାମ ପଞ୍ଚାୟତକୁ “ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ” ଭାବେ ଗଢି ତୋଳିବା ପାଇଁ ସଙ୍କଳ୍ପ ଓ ଶପଥ ଗ୍ରହଣ କରିଥିଲେ। ଏହାସହ ଏକ ପଦଯାତ୍ରା ମାଧ୍ୟମରେ ଶିଶୁ ଶ୍ରମ ବିରୋଧରେ ସଚେତନତା ଓ ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରାଯାଇଥିଲା। ଏହା ସହ ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକଙ୍କ ଉଦ୍ଧାର ପାଇଁ ସରକାରୀ ଚାଇଲ୍ଡ ହେଲ୍ପଲାଇନ୍ ୧୦୯୮ ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା, ଯାହାଦ୍ୱାରା ଯେକୌଣସି ସ୍ଥାନରେ ଶିଶୁ ଶ୍ରମିକ କିମ୍ବା ନିର୍ଯାତିତ ଶିଶୁଙ୍କ ବିଷୟରେ ତୁରନ୍ତ ସୂଚନା ଦିଆଯାଇପାରିବ।
