୨୫ ବର୍ଷର ନେତୃତ୍ୱ ଯାତ୍ରା: ‘ଜନତାଙ୍କ ଆଶୀର୍ବାଦ ହିଁ ମୋର ସବୁଠୁ ବଡ଼ ଶକ୍ତି’ – ମୋଦି
ନୂଆଦିଲ୍ଲୀ: ସରକାରୀ ନେତୃତ୍ୱରେ ୨୫ ବର୍ଷ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ୨୦୦୧ରେ ଆରମ୍ଭ ହୋଇଥିବା ତାଙ୍କର ଏହି ଯାତ୍ରା ୨୦୧୪ରେ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହାପରେ ୨୦୧୯ ଓ ୨୦୨୪ରେ ମଧ୍ୟ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ଏହି ମାଇଲଖୁଣ୍ଟ ଅବସରରେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇ ମୋଦି କହିଛନ୍ତି ଯେ, ତାଙ୍କର ୨୫ ବର୍ଷର ସରକାରୀ ଯାତ୍ରା ପଛରେ ରହିଛି କୋଟି କୋଟି ଭାରତୀୟଙ୍କ ଆଶୀର୍ବାଦ, ବିଶ୍ୱାସ ଓ ଦଳୀୟ କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ।
ମୋଦି ସ୍ମରଣ କରି କହିଛନ୍ତି, ୭ ଅକ୍ଟୋବର ୨୦୦୧ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟରେ ଏକଦିନ ସରକାରର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିବେ ବୋଲି ସେ କେବେ କଳ୍ପନା କରିନଥିଲେ। ଜନତା ତାଙ୍କୁ ଲଗାତାର ସେବାର ସୁଯୋଗ ଦେଇଥିବାରୁ ସେ ଦେଶବାସୀଙ୍କ ପ୍ରତି ମୁଣ୍ଡ ନୁଆଁଇ କୃତଜ୍ଞତା ଜଣାଇଛନ୍ତି।
ଏହି ଦୀର୍ଘ ଯାତ୍ରାରେ ଅନେକ ବିଧାନସଭା ଓ ଲୋକସଭା ନିର୍ବାଚନର ସାମ୍ନା କରିଛନ୍ତି ମୋଦି। ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ଆସ୍ଥା ପ୍ରକାଶ କରିବା ସହ BJP, NDA ଏବଂ ଗଣତନ୍ତ୍ରରେ ବିଶ୍ୱାସ ରଖୁଥିବା ସମସ୍ତ ସହଯୋଗୀଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି।
୨୦୪୭ର ଭାରତ ପାଇଁ ବଡ଼ ଲକ୍ଷ୍ୟ
ଭବିଷ୍ୟତର ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବା, ଅଲିମ୍ପିକ୍ସ ଆୟୋଜନ କରିବା ଏବଂ ମହାକାଶ ବିଜ୍ଞାନରେ ବଡ଼ ସଫଳତା ହାସଲ କରିବା ଭଳି ଅନେକ ଲକ୍ଷ୍ୟ ଆଗରେ ରହିଛି।
ଯୁବପିଢ଼ିଙ୍କୁ ଦେଶ ଗଠନରେ ଆଗେଇ ଆସିବାକୁ ଆହ୍ୱାନ ଦେଇ ମୋଦି କହିଛନ୍ତି ଯେ, ଭାରତ ପାଇଁ ଆଗକୁ ଆହୁରି ଅନେକ କାମ କରିବାକୁ ବାକି ଅଛି। ଦେଶର ଜନତାଙ୍କ ବିଶ୍ୱାସ ଓ ଆଶୀର୍ବାଦ ତାଙ୍କୁ ନିରନ୍ତର ଦେଶସେବା ପାଇଁ ପ୍ରେରଣା ଦେଇଆସିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

