୨୯ରେ ରାଜ୍ୟ କ୍ୟାବିନେଟ୍ ବୈଠକ
୭ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର, ଜନକଲ୍ୟାଣମୂଳକ ନିଷ୍ପତ୍ତି ଉପରେ ନଜର
ଭୁବନେଶ୍ୱର, ୨୪ ଅକ୍ଟୋବର (ଜାଗ୍ରତ ଭାରତ ନ୍ୟୁଜ୍): ରାଜ୍ୟର ବିକାଶ ଓ ଜନକଲ୍ୟାଣକୁ ଗୁରୁତ୍ୱ ଦେଇ ଆସନ୍ତା ଅକ୍ଟୋବର ୨୯ ତାରିଖରେ ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୬ଟାରେ ଲୋକସେବା ଭବନର ତୃତୀୟ ମହଲାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ୭ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି।
ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ ସୂଚନା ଦିଆଯାଇଛି। ତେବେ କେଉଁ କେଉଁ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିବ, ସେନେଇ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି।
ଜନକଲ୍ୟାଣ ଓ ବିକାଶମୂଳକ ପ୍ରସ୍ତାବ ଉପରେ ଗୁରୁତ୍ୱ
ସୂତ୍ର ଅନୁଯାୟୀ, ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ଅଧିକ ସୁବିଧା ଯୋଗାଇଦେବା ସହ ସାମାଜିକ ସୁରକ୍ଷା ଓ ଆର୍ଥିକ ସଶକ୍ତୀକରଣକୁ ଗୁରୁତ୍ୱ ଦେଇ ସରକାର ବିଭିନ୍ନ ଯୋଜନା ଓ ନୀତିଗତ ପଦକ୍ଷେପ ଉପରେ ବିଚାର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ପଞ୍ଚାୟତିରାଜ, ନଗର ଉନ୍ନୟନ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଭଳି ବିଭାଗର ବିଭିନ୍ନ ପ୍ରସ୍ତାବ ବୈଠକରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି।
ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ଚର୍ଚ୍ଚା
ଅନ୍ୟପଟେ, ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ବ୍ଲକ ଓ ପୌରାଞ୍ଚଳର ପ୍ରଶାସନିକ କାର୍ଯ୍ୟକୁ ସୁଦୃଢ଼ କରିବା ସହ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଥିବା ସୂଚନା ମିଳିଛି।
ତେବେ ଆସନ୍ତା ୨୯ ତାରିଖର କ୍ୟାବିନେଟ୍ ବୈଠକରେ କେଉଁ ପ୍ରସ୍ତାବଗୁଡ଼ିକ ଅନୁମୋଦନ ପାଇବ ଏବଂ ସେଥିରୁ ସାଧାରଣ ଲୋକେ କିପରି ଉପକୃତ ହେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
