Spread the love

### ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର ଗିରଫ

ବାଜ୍ୟାପ୍ତି ସ୍ଥିତିବାନ ଜମିର ବିକ୍ରୟ କବଲା ପଞ୍ଜୀକରଣ ପାଇଁ ମାଗିଥିଲେ ୧୦ ହଜାର, ୭ ହଜାରରେ ଛିଣ୍ଡିଥିଲା ମୂଲଚାଲ

ବାଲେଶ୍ୱର: ଲାଞ୍ଚ ନେବାବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଆପାଳର ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର। ଜମିର ବିକ୍ରୟ କବଲା ପଞ୍ଜୀକରଣ କରିବା ପାଇଁ ଜଣେ ଜମି କ୍ରେତାଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଶୁକ୍ରବାର (୬ ନଭେମ୍ବର ୨୦୨୬) ତାଙ୍କୁ ଭିଜିଲାନ୍ସ ଟିମ୍‌ କାବୁ କରିଛି।

ସୂଚନା ଅନୁଯାୟୀ, ଜମି କ୍ରେତା ଜଣକ ୦.୧୪ ଏକର ପରିମିତ ବାଜ୍ୟାପ୍ତି ସ୍ଥିତିବାନ କିସମର ଜମି କିଣିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟମ ଅନୁଯାୟୀ, ଏହି କିସମର ଜମିକୁ ସ୍ଥିତିବାନ ଭାବେ ବିବେଚନା କରି ପଞ୍ଜୀକରଣ କରାଯାଇପାରିବ। ଏନେଇ କ୍ରେତା ଜଣକ ବିଭାଗୀୟ ନିର୍ଦ୍ଦେଶାବଳୀ ଦର୍ଶାଇ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସବ୍‌ରେଜିଷ୍ଟ୍ରାର ଏହାକୁ ଗୁରୁତ୍ୱ ଦେଇନଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, କବଲା ପଞ୍ଜୀକରଣ ପାଇଁ ସେ ପ୍ରଥମେ ୧୦ ହଜାର ଟଙ୍କା ଦାବି କରିଥିଲେ। କ୍ରେତା ଜଣକ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ରାଶି ୭ ହଜାର ଟଙ୍କାକୁ ହ୍ରାସ କରିଥିଲେ। ଏଥିରେ ଅତିଷ୍ଠ ହୋଇ ଜମି କ୍ରେତା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଏହାପରେ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍‌ ଜାଲ ବିଛାଇଥିଲା। ଆଜି ୭ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଧରିଥିଲା ଟିମ୍‌। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଏହି ଘଟଣା ପରେ ଆୟବହିର୍ଭୂତ ସମ୍ପତ୍ତି ଦିଗରୁ ତଦନ୍ତ ପାଇଁ ତାଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍‌ ନଂ ୨୬/୨୦୨୬ ଏବଂ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ, ମନୀଷା ମିଶ୍ର ୨୦୨୪ ମସିହାରେ ଚାକିରିରେ ଯୋଗଦେଇଥିବାବେଳେ ବାଲିଆପାଳରେ ପ୍ରୋବେସନ୍‌ ଅବଧିରେ ସବ୍‌ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିଲେ। ଘଟଣାର ତଦନ୍ତ ଜାରି ରହିଛି।

— ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *