Spread the love

ଅକାଳ ବିୟୋଗରେ ସ୍ତବ୍ଧ ଅଞ୍ଚଳ: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧାଞ୍ଜଳିଙ୍କୁ ଅଶ୍ରୁଳ ବିଦାୟ

ବଅଁରପାଳ (ଅନୁଗୋଳ): ବଅଁରପାଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ପାତ୍ର (୧୪)ଙ୍କ ଅକାଳ ବିୟୋଗରେ ବିଦ୍ୟାଳୟ ତଥା ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଗୁରୁବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି।

ବୃନ୍ଦାବନପୁର ଗ୍ରାମରେ ବସବାସ କରୁଥିବା କୁଲେଇ ଗ୍ରାମର କେଦାରନାଥ ପାତ୍ରଙ୍କ କନ୍ୟା ଶ୍ରଦ୍ଧାଞ୍ଜଳି ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ। ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶ କ୍ରମେ ରକ୍ତ ପରୀକ୍ଷା ଓ ଇଞ୍ଜେକ୍ସନ ନେବା ପରେ ଘରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ତୁରନ୍ତ ତାଙ୍କୁ ବଅଁରପାଳ ସରକାରୀ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶ୍ରଦ୍ଧାଞ୍ଜଳି ଜଣେ ମେଧାବୀ, ମିଷ୍ଟଭାଷୀ ଏବଂ ମେଳାପୀ ଛାତ୍ରୀ ଥିଲେ। ପାଠପଢ଼ା ସହିତ ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମରେ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଥିଲେ। ତାଙ୍କ ବିୟୋଗ ଖବର ପାଇ ବିଦ୍ୟାଳୟର ଗୁରୁଜୀ, ଗୁରୁମା ଏବଂ ଅଭିଭାବକମାନେ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

ବିଦ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ପୂର୍ବକ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରାଯାଇଛି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି। ମାତ୍ର ୧୪ ବର୍ଷ ବୟସରେ ଏଭଳି ଜଣେ ପ୍ରତିଭାବାନ ଛାତ୍ରୀଙ୍କ ଅକାଳ ବିଦାୟ ସହପାଠୀ ଓ ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଛି।

Leave a Reply

Your email address will not be published. Required fields are marked *