*”ଅଙ୍କୁର” ହ୍ୟାଣ୍ଡବୁକ୍ ଉନ୍ମୋଚିତ*
*୧୧ଟି ସହଯୋଗୀ ସଂସ୍ଥାକୁ ନେଇ ଓଡ଼ିଶାରେ ସହରୀ ଶାସନ ଓ ନବସୃଜନକୁ ନୂଆ ଦିଗ*
ଭୁବନେଶ୍ୱର, ଅକ୍ଟୋବର ୨୭, ୨୦୨୬:
ଓଡ଼ିଶାରେ ସହରୀ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ପୌର ସଂସ୍ଥାଗୁଡ଼ିକର ଦକ୍ଷତା ବୃଦ୍ଧି ଏବଂ ନାଗରିକକୈନ୍ଦ୍ରିକ ସେବା ପ୍ରଦାନକୁ ଅଧିକ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଫ୍ଲାଗ୍ସିପ୍ ପଦକ୍ଷେପ *”ଅଙ୍କୁର”* (Atal Network for Knowledge, Urbanisation and Reform) ଆଗେଇ ଚାଲିଛି । ଭୁବନେଶ୍ୱରରେ ଆୟୋଜିତ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ନ୍ୟାସନାଲ୍ ଅର୍ବାନ୍ କନକ୍ଲେଭ୍ ୨୦୨୬ ଅବସରରେ ANKUR ସହଯୋଗୀ ସଂସ୍ଥାଗୁଡ଼ିକର ହ୍ୟାଣ୍ଡବୁକ୍ ଉନ୍ମୋଚିତ ହୋଇଛି ।
ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ପରିକଳ୍ପନାରୁ ଆରମ୍ଭ ହୋଇଥିବା ANKURକୁ ରାଜ୍ୟ ସରକାର ୨୮ ମେ ୨୦୨୫ରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ‘ବିକଶିତ ଓଡ଼ିଶା @୨୦୩୬’ ଓ ‘ବିକଶିତ ଭାରତ @୨୦୪୭’ର ଲକ୍ଷ୍ୟ ସହ ସମନ୍ୱିତ ଏହି ପଦକ୍ଷେପ ଜ୍ଞାନ, ଗବେଷଣା, ନବସୃଜନ ଓ କାର୍ଯ୍ୟକାରୀ ସହାୟତାକୁ ସରକାରୀ ପ୍ରାଥମିକତା ସହ ଯୋଡ଼ିଛି । ଏହାର ଚାରିଟି ମୁଖ୍ୟ ସ୍ତମ୍ଭ ହେଉଛି—ଦକ୍ଷତା ବିକାଶ, ଜ୍ଞାନ ଓ ଗବେଷଣା, କାର୍ଯ୍ୟକାରୀ ସହାୟତା ଏବଂ ନବସୃଜନ ।
ଅଙ୍କୁର ଅଧୀନରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଜନାଗ୍ରହ, ଅର୍ବାନ୍ ମ୍ୟାନେଜମେଣ୍ଟ ସେଣ୍ଟର୍, ଇ-ଗଭ୍ ଫାଉଣ୍ଡେସନ୍, ଲାଇଟ୍ହାଉସ୍ କମ୍ୟୁନିଟିଜ୍ ଫାଉଣ୍ଡେସନ୍, UN-Habitat, ପ୍ରସ୍ପେରିଟି, ଏୟାର ପଲ୍ୟୁସନ୍ ଆକ୍ସନ୍ ଗ୍ରୁପ୍, ଏୟାରାୱତ ରିସର୍ଚ୍ଚ ଫାଉଣ୍ଡେସନ୍, ସୋକ୍ରାଟସ୍ ଫାଉଣ୍ଡେସନ୍ ଓ WRI India ସମେତ ୧୧ଟି ସହଯୋଗୀ ସଂସ୍ଥା ସାମିଲ ହୋଇଛନ୍ତି । ଏହି ସଂସ୍ଥାଗୁଡ଼ିକ ସହରୀ ଯୋଜନା, ପୌର ଅର୍ଥନୀତି, ଡିଜିଟାଲ୍ ସେବା, ଜୀବିକା, ପରିମଳ ଓ ପରିବେଶ ସୁରକ୍ଷା ଭଳି କ୍ଷେତ୍ରରେ ବୈଷୟିକ ଜ୍ଞାନ ଓ ସହାୟତା ଯୋଗାଇ ଦେଉଛନ୍ତି ।
ANKUR ମାଧ୍ୟମରେ ସମ୍ପତ୍ତି କର ସଂସ୍କାର, ସୁଯୋଗ ଡିଜିଟାଲ୍ ପ୍ଲାଟଫର୍ମର ସୁଦୃଢ଼ୀକରଣ, ଯୁବକଯୁବତୀଙ୍କ ଦକ୍ଷତା ବିକାଶ, ପରିମଳ କର୍ମଚାରୀଙ୍କ କଲ୍ୟାଣ, ସହରୀ ଯୋଜନା ନିୟମାବଳୀରେ ସଂସ୍କାର ଏବଂ ବାୟୁ ପ୍ରଦୂଷଣ ହ୍ରାସ ଭଳି ପଦକ୍ଷେପକୁ ସହାୟତା ମିଳୁଛି । ପ୍ରସ୍ପେରିଟିର ବୈଷୟିକ ସହଯୋଗରେ ଓଡ଼ିଶା ଡେଭଲପମେଣ୍ଟ ଅଥରିଟିଜ୍ ରୁଲ୍ସରେ ପରିବର୍ତ୍ତନ ଅଣାଯାଇଛି । ଏଥିରେ ଶିଳ୍ପ ଜମିର ଆବଶ୍ୟକତା ଅନୁପାତକୁ ହ୍ରାସ କରାଯିବା ସହ ଅଧିକ ନମନୀୟ ଜୋନିଂ ବ୍ୟବସ୍ଥା ପ୍ରଚଳନ ଅନ୍ତର୍ଭୁକ୍ତ ।
ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ସୁଯୋଗ ପ୍ଲାଟଫର୍ମ ପୌର ସେବା ପ୍ରଦାନକୁ ଅଧିକ ସରଳ ଓ ଦକ୍ଷ କରିବାରେ ସହାୟକ ହେଉଛି । ଏହା ମାଧ୍ୟମରେ ପୌର କର୍ମଚାରୀଙ୍କ ରିପୋର୍ଟ ପ୍ରସ୍ତୁତିରେ ଲାଗୁଥିବା ସମୟ ହାରାହାରି ୪୮ ପ୍ରତିଶତ ହ୍ରାସ ପାଇଛି । ୨୦୨୬–୨୭ରେ ଏହି ପ୍ଲାଟଫର୍ମର ପରିସରକୁ ୧୧୫ଟିରୁ ୧୪୦ଟି ପୌରାଞ୍ଚଳକୁ ସମ୍ପ୍ରସାରଣ କରିବା, ତଥ୍ୟର ଶୁଦ୍ଧତା ବୃଦ୍ଧି ଓ ରାଜସ୍ୱ ପରିଚାଳନାକୁ ସୁଦୃଢ଼ କରିବା ଲକ୍ଷ୍ୟ ରହିଛି ।
ଲାଇଟ୍ହାଉସ୍ ସେଣ୍ଟର୍ଗୁଡ଼ିକରେ ୯,୭୦୩ ଜଣ ଯୁବକଯୁବତୀ ଦକ୍ଷତା ବିକାଶ ପାଠ୍ୟକ୍ରମରେ ନାମ ଲେଖାଇଥିବାବେଳେ ୪,୬୪୬ ଜଣ ନିଯୁକ୍ତି ପାଇଛନ୍ତି। ଗରିମା ଯୋଜନା ସହ ସମନ୍ୱୟ ମାଧ୍ୟମରେ ପରିମଳ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଦକ୍ଷତା ବିକାଶ ଓ ଜୀବିକା ସୁଯୋଗ ସୃଷ୍ଟି କରାଯାଉଛି ।
SAHAJOG ଓ SAHAJOG Plus ପଦକ୍ଷେପ ମାଧ୍ୟମରେ ୬.୬୦ ଲକ୍ଷ ପରିବାର ପାଖରେ ପହଞ୍ଚିବା ସହ ୩.୨୫ ଲକ୍ଷରୁ ଅଧିକ କଲ୍ୟାଣକାରୀ ଯୋଜନା ଆବେଦନରେ ସହାୟତା କରାଯାଇଛି । ଏହାଦ୍ୱାରା ପ୍ରାୟ ୧୦,୦୦୦ କୋଟି ଟଙ୍କାର ସରକାରୀ କଲ୍ୟାଣକାରୀ ସୁବିଧା ଲୋକଙ୍କ ପାଖରେ ପହଞ୍ଚିବାରେ ସହାୟତା ମିଳିଛି ।
ପରିବେଶ ସୁରକ୍ଷା କ୍ଷେତ୍ରରେ କମ୍ ମୂଲ୍ୟଯୁକ୍ତ ପ୍ଲାଷ୍ଟିକ୍ ଓ ଶିଳ୍ପ ବର୍ଜ୍ୟରୁ ନିର୍ମାଣ ସାମଗ୍ରୀ ପ୍ରସ୍ତୁତି, ନିର୍ମାଣ ଓ ଭଙ୍ଗାରୁଜା ବର୍ଜ୍ୟର ପୁନଃବ୍ୟବହାର ଏବଂ ବାୟୁ ପ୍ରଦୂଷଣର ସ୍ଥାନୀୟ ଉତ୍ସ ଚିହ୍ନଟ ଭଳି ପଦକ୍ଷେପ ଗ୍ରହଣ କରାଯାଉଛି । ଦୈନିକ ୫୦ ଟନ୍ ପ୍ଲାଷ୍ଟିକ୍ ପୁନରୁଦ୍ଧାରର ଲକ୍ଷ୍ୟ ରଖାଯାଇଛି। ଖୋଲା ସ୍ଥାନରେ ଅଳିଆ ପକାଇବା, କଞ୍ଚା ରାସ୍ତା ଓ ନିର୍ମାଣ ବର୍ଜ୍ୟ ଭଳି ପ୍ରଦୂଷଣ ଉତ୍ସ ଉପରେ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ମାଧ୍ୟମରେ ସହରୀ ପରିବେଶର ଗୁଣବତ୍ତା ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି ।
ସରକାରୀ ସଂସ୍ଥା, ବିଶେଷଜ୍ଞ ଓ ସହଯୋଗୀ ସଂଗଠନଗୁଡ଼ିକୁ ଏକତ୍ର କରି ANKUR ସହରୀ ସମସ୍ୟାର ବ୍ୟବହାରିକ ସମାଧାନ ଚିହ୍ନଟ, ପରୀକ୍ଷଣ ଓ ପ୍ରସାର ପାଇଁ ଏକ ସମନ୍ୱିତ ମଞ୍ଚ ପ୍ରଦାନ କରୁଛି । ହ୍ୟାଣ୍ଡବୁକ୍ ଉନ୍ମୋଚନ ଏହି ସହଯୋଗଭିତ୍ତିକ ଆଭିମୁଖ୍ୟକୁ ପ୍ରଦର୍ଶିତ କରିବା ସହ ଜ୍ଞାନ ବିନିମୟ ଓ ନବସୃଜନକୁ ଆଗେଇ ନେବାରେ ସହାୟକ ହୋଇଛି। ଏହା ମାଧ୍ୟମରେ ଓଡ଼ିଶାରେ ସ୍ୱଚ୍ଛ, ସୁରକ୍ଷିତ, ସ୍ଥାୟୀ ଓ ନାଗରିକକୈନ୍ଦ୍ରିକ ସହର ଗଠନ ଦିଗରେ ଉଦ୍ୟମକୁ ଅଧିକ ସୁଦୃଢ଼ କରାଯାଉଛି ।
……..
