ରେଙ୍ଗାଳି ଦକ୍ଷିଣ କେନାଲରୁ ୧୨ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର
ଗାଧୋଇବାକୁ ଯାଇ କେନାଲରେ ନିଖୋଜ ହୋଇଥିଲେ ନିହାରିକା ନାୟକ
ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତର ଆମ୍ବ ସାହି ନିକଟସ୍ଥ ରେଙ୍ଗାଳି ଦକ୍ଷିଣ କେନାଲରୁ ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳିକାଙ୍କ ନାମ ନିହାରିକା ନାୟକ ବୋଲି ଜଣାପଡ଼ିଛି। ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ନିହାରିକା ଅନୁଗୋଳରୁ ନିଜ ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଥିବା ବେଳେ ରେଙ୍ଗାଳି ଦକ୍ଷିଣ କେନାଲକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ନିଖୋଜ ହୋଇଯାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ବଅଁରପାଳ ଓ ଅନୁଗୋଳ ଦମକଳବାହିନୀ ପକ୍ଷରୁ ମିଳିତ ଭାବେ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଆଜି ସକାଳ ପ୍ରାୟ ୬ଟା ସମୟରେ ନାବାଳିକାଙ୍କ ମୃତଦେହ କେନାଲରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
ଏହି ଅକାଳ ମୃତ୍ୟୁ ଘଟଣାରେ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ତେବେ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡିଛି।
ଜାଗ୍ରତ ଭାରତ ନ୍ୟୁଜ୍, ଅନୁଗୋଳ
