Spread the love

*ଅଟ୍ରୀ ଉଷ୍ଣ ପ୍ରସ୍ରବଣ ପରିଦର୍ଶନ କଲେ ରାଜ୍ୟପାଳ*

*ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ*

*ଭୁବନେଶ୍ୱର, ଅକ୍ଟୋବର ୩:* ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଅଟ୍ରୀ ଉଷ୍ଣ ପ୍ରସ୍ରବଣ ପରିଦର୍ଶନ କରିଛନ୍ତି ଓଡିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି। ଶନିବାର ଦିନ ରାଜ୍ୟପାଳଙ୍କ ସହ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ . ଜୟଶ୍ରୀ କମ୍ଭମପାଟି ମଧ୍ୟ ଅଟ୍ରୀ ଗସ୍ତ କରିଥିଲେ।

ପରିଦର୍ଶନ ସମୟରେ ରାଜ୍ୟପାଳ ପ୍ରାୟ ଦୁଇ ମାସ ପୂର୍ବେ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ସହ ତପ୍ତପାଣି ଗସ୍ତ କରିଥିବା କଥା ସ୍ମରଣ କରିଥିଲେ। ଏହା ପରେ ଅଟ୍ରୀର ଉଷ୍ଣ ପ୍ରସ୍ରବଣ ସମ୍ପର୍କରେ ଜାଣିବା ପରେ ଏହି ସ୍ଥାନକୁ ଆସିବାକୁ ଇଚ୍ଛା ପ୍ରକାଶ କରିଥିଲେ ବୋଲି ସେ କହିଥିଲେ।

ଅଟ୍ରୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଏହାର ସ୍ୱତନ୍ତ୍ର ବିଶେଷତାକୁ ରାଜ୍ୟପାଳ ପ୍ରଶଂସା କରିବା ସହ ଏଠାରେ ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ରହିଛି ବୋଲି କହିଥିଲେ। ଉଷ୍ଣ ପ୍ରସ୍ରବଣ ସହ ଜଡ଼ିତ ଧାର୍ମିକ ବିଶ୍ୱାସ ଯୋଗୁଁ ମଧ୍ୟ ଅନେକ ଲୋକ ଏଠାକୁ ଆସୁଥିବା କଥା ସେ ଉଲ୍ଲେଖ କରିଥିଲେ।

ଅଟ୍ରୀର ବିକାଶ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ରାଜସ୍ୱ ବିଭାଗ ଓ ପର୍ଯ୍ୟଟନ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ। ଏହାଦ୍ୱାରା ଅଧିକ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଅଟ୍ରୀକୁ ଆସିବା ସହ ଅଞ୍ଚଳର ପର୍ଯ୍ୟଟନ ବିକାଶକୁ ପ୍ରୋତ୍ସାହନ ମିଳିବ ବୋଲି ସେ କହିଥିଲେ।

ସମ୍ପୃକ୍ତ ବିଭାଗଗୁଡ଼ିକର ସମନ୍ୱିତ ପ୍ରୟାସ ମାଧ୍ୟମରେ ଅଟ୍ରିରେ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ଉପଲବ୍ଧ କରାଇଲେ ଏହି ଅଞ୍ଚଳର ଲୋକମାନେ ମଧ୍ୟ ଉପକୃତ ହୋଇପାରିବେ ବୋଲି ରାଜ୍ୟପାଳ ମତ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଅଟ୍ରୀ ଏହାର ସ୍ଥାୟୀ ଉଷ୍ଣ ପ୍ରସ୍ରବଣ ପାଇଁ ପରିଚିତ। ଓଡ଼ିଶାର ଏହି ପ୍ରାକୃତିକ ଓ ଧାର୍ମିକ ପର୍ଯ୍ୟଟନସ୍ଥଳୀ ପ୍ରତି ବର୍ଷ ଅନେକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ।

 

Leave a Reply

Your email address will not be published. Required fields are marked *