Spread the love

ଅନୁଗୋଳରେ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ।

​ଅନୁଗୋଳ, ତା.୦୫.୧୦: ଅନୁଗୋଳ ସହରରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ଉତ୍ସବକୁ ବ୍ୟବସ୍ଥିତ ଓ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ବୈଠକରେ ଯୋଗ ଦେଇ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ଉତ୍ସବକୁ ବ୍ୟବସ୍ଥିତ ଓ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଯୋଗ ଦେଇ ସମସ୍ତଙ୍କୁ ସ୍ଵାଗତ କରିବା ସହ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ।
​ଚଳିତ ବର୍ଷ ଅନୁଗୋଳ ସହରରେ ଦୁର୍ଗା ପୂଜା ଉତ୍ସବ ନିମନ୍ତେ ମା’ଙ୍କର ୧୦ ଗୋଟି ମେଢ଼ ଓ ଲକ୍ଷ୍ମୀ ପୂଜା ଉତ୍ସବ ନିମନ୍ତେ ମା’ଙ୍କର ୨୯ ଗୋଟି ମେଢ଼ ପ୍ରତିଷ୍ଠା କରାଯିବ। ଚଳିତ ମାସ ୧୨ ତାରିଖ ଠାରୁ ଦୁର୍ଗାପୂଜା ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଅକ୍ଟୋବର ୨୨ ତାରିଖରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ମାସ ୨୫ ତାରିଖରୁ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ୪ ତାରିଖରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
​ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଳ ପୂର୍ବକ ଚାନ୍ଦା ଆଦାୟ ନ କରିବା ନିମନ୍ତେ ମତ ପ୍ରକାଶ ପାଇଥିଲା। ସମସ୍ତ ପୂଜା କମିଟି ଦ୍ଵାରା ନିର୍ମିତ ତୋରଣଗୁଡ଼ିକ ଭୂମିଠାରୁ ଅନ୍ୟୁନ ୧୮ ଫୁଟ ଉଚ୍ଚରେ ରହିବ ଓ ୨୮ ଫୁଟ ଚଉଡ଼ାରେ ନିର୍ମାଣ ହେବ ଏବଂ ଗେଟ୍ ଲାଇଟ୍ ଗୁଡ଼ିକୁ ୧୨ ଫୁଟ ଉଚ୍ଚତାରେ ଲଗାଇବେ। ପୂଜା ସମୟରେ ଢାକବାଜି ଯନ୍ତ୍ରର ଅଧିକ ଓ ଅତ୍ୟଧିକ ଉଚ୍ଚ ଶବ୍ଦ ବ୍ୟବହାରକୁ ବାରଣ କରାଯାଇଛି। ପୂଜା ଓ ଭସାଣୀରେ ଆତସବାଜୀ ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ପୂଜା ସମୟରେ ମେଲୋଡି ଓ ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ସବୁ ରାତ୍ର ୧୧ ଘଟିକା ସୁଦ୍ଧା ସମାପନ କରିବାକୁ ପଡ଼ିବ। ଚଳିତ ବର୍ଷ ହେମସୁରପଡ଼ା ଦୁର୍ଗାପୂଜା କମିଟି ଦ୍ଵାରା ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
​ପୂଜା ସମୟରେ ଟ୍ରାଫିକ ନିୟନ୍ତ୍ରଣ, ପାର୍କ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରାଯାଇଛି। ପୂର୍ବ ବର୍ଷ ଭଳି ପୂଜାକମିଟିଗୁଡ଼ିକ ପୂଜାମଣ୍ଡପରେ ଅଗ୍ନି ନିର୍ବାପକ ସରଞ୍ଜାମ ରଖୁବା ସହିତ ସିସି ଟିଭି ଲଗାଇବାକୁ ସ୍ଥିର ହୋଇଛି। ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।
​ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜିବ ଲୋଚନ ପଣ୍ଡା, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଗୌରବମୟ ପ୍ରଧାନ, ଅନୁଗୋଳ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ରମାକାନ୍ତ ମହାଳିକ, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀ, ପୂଜା କମିଟିର ସଭାପତି, ସମ୍ପାଦକଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ସୁକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *