ଅନୁଗୋଳରେ ମର୍ମନ୍ତୁଦ ଦୁର୍ଘଟଣା: କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ଶ୍ରମିକ ମୃତ
୨୮ ବର୍ଷୀୟ ଶୁଭମ ଦାସଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, କ୍ଷତିପୂରଣ ଦାବିରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ
ଅନୁଗୋଳ:
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ଥାନା ଅନ୍ତର୍ଗତ ର ୫୫ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନାର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାଣ୍ଡସର ଗ୍ରାମର ସ୍କୁଲ ସାହିର ଗଣପତି ଦାସଙ୍କ ୨୮ ବର୍ଷୀୟ ଏକମାତ୍ର ପୁତ୍ର ଶୁଭମ ଦାସ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଏହି ଦୁଃଖଦ ଘଟଣାର ଖବର ପାଇ ସମାଜସେବୀ ଅଭୟ ସାମଲ, ସ୍ଥାନୀୟ ଲୋକେ, ମୃତକଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାର ପ୍ରତିବାଦ ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସେମାନେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।ଏଥିସହ ଜାତୀୟ ରାଜପଥରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରିବା, ରାସ୍ତାରେ ଖରାପ ହୋଇ ରହୁଥିବା ଗାଡ଼ିଗୁଡ଼ିକୁ ତୁରନ୍ତ ହଟାଇବା ଏବଂ ଶୁଭମଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଥିଲେ। ରାସ୍ତାରେ ଗାଡ଼ି ଖରାପ ହୋଇ ରହିବା ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାର ଅଭାବକୁ ନେଇ ମଧ୍ୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ।ଖବର ପାଇ ନାଲକୋ ପୁଲିସ ଓ ବଅଁରପାଳର ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଦାବିଗୁଡ଼ିକ ପୂରଣ କରିବା ନେଇ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା। ଏହାପରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।ଜଣେ ଯୁବ ଶ୍ରମିକଙ୍କ ଅକାଳ ମୃତ୍ୟୁ ଏବେ ଜାତୀୟ ରାଜପଥରେ ସୁରକ୍ଷା ବ୍ୟବସ୍ଥା, ରାସ୍ତାରେ ଖରାପ ହୋଇ ରହୁଥିବା ଗାଡ଼ିର ପରିଚାଳନା ଏବଂ ଦୁର୍ଘଟଣା ରୋକିବା ପାଇଁ ପ୍ରଶାସନର ଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇଛି।

