*ଅନୁଗୋଳ ଜିଲ୍ଲାରେ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲର( UPM) ଶୁଭାରମ୍ଭ*
– ୧୬,୯୫୪ ନୂଆ ହିତାଧିକାରୀ ସାମିଲ
– ୫୩୦ ହିତାଧିକାରୀଙ୍କୁ ଦୁଇ ମାସର ଭତ୍ତା ପ୍ରଦାନ
ଅନୁଗୋଳ, ୧୨.୧୧ : ପେନସନ୍ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ୍ (UPMP) ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି ସ୍ଥାନୀୟ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ମାନ୍ୟବର ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ପେନସନ୍ ବ୍ୟବସ୍ଥାର ଗୁରୁତ୍ୱ ଓ ଉପାଦେୟତା ଉପରେ ଆଲୋକପାତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ସରକାରଙ୍କ ଏହି ଅଭିନବ ପ୍ରୟାସର ପ୍ରଶଂସା କରିଥିଲେ। ଏହି ପୋର୍ଟାଲ ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନେ ଆବେଦନ କରି ମାତ୍ର ଏକ ମାସ ମଧ୍ୟରେ ଭତ୍ତା ପାଇପାରିବେ। ଅନୁଗୋଳ ଜିଲ୍ଲାରେ ଏହି ଅଭିଯାନ ଅଧୀନରେ ମୋଟ ୧୬,୯୫୪ ଜଣ ନୂତନ ହିତାଧିକାରୀଙ୍କୁ ଅକ୍ଟୋବର ମାସଠାରୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି। ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ବିଭିନ୍ନ ବ୍ଲକ୍ ଓ ପୌରାଞ୍ଚଳରୁ ଆସିଥିବା ୫୩୦ ଜଣ ନୂତନ ହିତାଧିକାରୀଙ୍କୁ ଅତିଥିମାନେ ସିଧାସଳଖ ଦୁଇ ମାସର ଭତ୍ତା ପ୍ରଦାନ କରିଥିଲେ। ଭତ୍ତା ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅଧିକ ସଚେତନ କରିବା ଏବଂ ଅଧିକରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟରେ ୪ଟି ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଏହି ରଥଗୁଡ଼ିକ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପୌରାଞ୍ଚଳ ପରିକ୍ରମା କରି ପେନସନ୍ ଯୋଜନାର ନିୟମାବଳୀ, ଆବଶ୍ୟକୀୟ ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ ପ୍ରଧାନ, ମାନ୍ୟବର ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡ଼ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଅନୁଗୋଳ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ସାହୁ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମନୀଷ କୁମାର ଏକ୍କା, ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼. ବିଶ୍ୱ ଭୂଷଣଙ୍କ ସମେତ ବିଭାଗୀୟ ଅଧିକାରୀ, ହିତାଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

