Spread the love

ଭୂବନେଶ୍ୱର, ୨୦/୦୩ : ସମସ୍ତ ଶିକ୍ଷକ, ଅଧ୍ୟାପକଙ୍କୁ ୧୯୯୪ ନିୟମ ଅନୁସାରେ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ଦରମା ପ୍ରଦାନ କରିବାକୁ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ୩ ଶହ ଆବେଦନକାରୀ ଶିକ୍ଷକ, ଅଧ୍ୟାପକଙ୍କ ପକ୍ଷରୁ ଆଗତ ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ରାଜ୍ୟର ଲକ୍ଷାଧିକ ଶିକ୍ଷକ, ଅଧ୍ୟାପକ ଉପକୃତ ହେବେ । ରାଜ୍ୟ ସରକାର ୧୯୯୪ ମସିହାରେ ଏକ ଆଇନ ବଳରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ଲାଗୁ କରିଥିଲେ । ଏହା ଲାଗୁ ହେବା ଫଳରେ ବ୍ୟବସ୍ଥା ହେଲା ଯେ ଜଣେ ଶିକ୍ଷକ ବା ଅଧ୍ୟାପକ ୫ବର୍ଷ ଚାକିରି କରିବା ପରେ ମୋଟ୍‌ ଦରମାର ୩ଭାଗରୁ ଗୋଟେ ଭାଗ ପାଇବେ । ୭ବର୍ଷ ଚାକିରି ପୂରଣ କଲେ ତିନି ଭାଗରୁ ଦୁଇ ଭାଗ ଏବଂ ୯ବର୍ଷ ଚାକିରି ପୂରଣ କଲେ ସମ୍ପୂର୍ଣ୍ଣ ଦରମା ପାଇବେ ।କିନ୍ତୁ ୨୦୦୪ରେ ରାଜ୍ୟ ସରକାର ୧୯୯୪ ନିୟମକୁ ଉଚ୍ଛେଦ କରି ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ପରିବର୍ତ୍ତେ ବ୍ଲକ୍‌ ଗ୍ରାଣ୍ଟ୍‌ ଲାଗୁ କରିଥିଲେ । ଅର୍ଥାତ ଜଣେ ଶିକ୍ଷକ ବା ଅଧ୍ୟାପକଙ୍କୁ ସରକାର ମୋଟ୍‌ ଦରମାର ୪୦% ପ୍ରଦାନ କରିବେ । ୨୦୦୮ରେ ରାଜ୍ୟ ସରକାର ୬୬୨ଟି ମହାବିଦ୍ୟାଳୟକୁ ବ୍ଲକ୍‌ ଗ୍ରାଣ୍ଟ୍‌ ପ୍ରଦାନ କରିଥିଲେ । ୨୦୦୯ରେ ବାକି ରହିଯାଇଥିବା ମହାବିଦ୍ୟାଳୟକୁ ଏହି ବ୍ଲକ୍‌ ଗ୍ରାଣ୍ଟ୍‌ରେ ସାମିଲ୍‌ କରାଯାଇଥିଲା ।ଏହି ବ୍ଲକ୍‌ ଗ୍ରାଣ୍ଟ୍‌କୁ ବିରୋଧ କରି ବହୁ ମାମଲା ସ୍ୟାଟ୍‌ରେ ହୋଇଥିଲା । ସ୍ୟାଟ୍‌ ବ୍ଲକ୍‌ ଗ୍ରାଣ୍ଟ୍‌ ପରିବର୍ତ୍ତେ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ହାଇକୋର୍ଟ ଏହି ଆଦେଶକୁ ରଦ୍ଦ କରି ୧୯୯୪ ଆଇନ ଉଚ୍ଛେଦ ହୋଇଯାଇଥିବାରୁ ଆଉ ଗ୍ରାଣ୍ଟ-ଇନ୍‌-ଏଡ୍‌ ଲାଗୁ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ସୁପ୍ରିମ୍‌କୋର୍ଟରେ ମଧ୍ୟ ଏହି ଆଦେଶ କାଏମ୍‌ ରହିଥିଲା । ଯେଉଁମାନେ ୧୯୯୪ ନିୟମ ଆଧାରରେ ଆବେଦନ କରିଛନ୍ତି ସେମାନଙ୍କ କଥାକୁ ବିଚାରକୁ ନେଇ ରାଜ୍ୟ ସରକାର ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *