### ଆଡଭାନୀଙ୍କ ୯୯ତମ ଜନ୍ମଦିନ, ୧୦୦ତମ ବର୍ଷରେ ପଦାର୍ପଣ କଲେ ବିଜେପିର ଏହି ବରିଷ୍ଠ ନେତା
ନୂଆଦିଲ୍ଲୀ, ୮/୧୧: ଭାରତୀୟ ରାଜନୀତିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଜି ନିଜର ୯୯ତମ ଜନ୍ମଦିନ ପାଳନ କରୁଛନ୍ତି। ଏଥିସହ ସେ ଜୀବନର ୧୦୦ତମ ବର୍ଷରେ ପ୍ରବେଶ କରିଛନ୍ତି। ୧୯୨୭ ନଭେମ୍ବର ୮ ତାରିଖରେ ଅବିଭକ୍ତ ଭାରତର କରାଚୀଠାରେ ଦୀପାବଳି ଅବସରରେ ତାଙ୍କର ଜନ୍ମ ହୋଇଥିଲା।
ଦେଶର ରାଜନୈତିକ ଇତିହାସରେ ଆଡଭାନୀଙ୍କ ଭୂମିକା ଉଲ୍ଲେଖନୀୟ। ବିଜେପିର ସାଂଗଠନିକ ବିସ୍ତାର ଓ ଜାତୀୟ ସ୍ତରରେ ଦଳକୁ ଏକ ପ୍ରମୁଖ ରାଜନୈତିକ ଶକ୍ତି ଭାବେ ପ୍ରତିଷ୍ଠିତ କରିବାରେ ତାଙ୍କର ଅବଦାନ ରହିଛି। ରାମ ମନ୍ଦିର ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଚେହେରା ଭାବେ ସେ ପରିଚିତ। ତାଙ୍କର ଦୀର୍ଘ ରାଜନୈତିକ ଜୀବନ ଓ ଅବଦାନ ପାଇଁ ୨୦୨୪ରେ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।
ଆଡଭାନୀ ତିନିଥର ବିଜେପିର ଜାତୀୟ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୮୬ରୁ ୧୯୯୦, ୧୯୯୩ରୁ ୧୯୯୮ ଏବଂ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ। ତାଙ୍କ ନେତୃତ୍ୱ ସମୟରେ ବିଜେପିର ଲୋକସଭା ଆସନ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ୧୯୯୬ରେ ଦଳ ପ୍ରଥମଥର ପାଇଁ ଲୋକସଭାରେ ଏକକ ସର୍ବବୃହତ୍ ଦଳ ଭାବେ ଉଭା ହୋଇଥିଲା।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାରରେ ମଧ୍ୟ ଆଡଭାନୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସେ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ଉପପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
ଭାରତୀୟ ରାଜନୀତିରେ ଦୀର୍ଘ ଦଶନ୍ଧି ଧରି ସକ୍ରିୟ ରହିଥିବା ଆଡଭାନୀଙ୍କ ଜୀବନ ଓ ରାଜନୈତିକ ଯାତ୍ରା ଦେଶର ରାଜନୈତିକ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହୋଇ ରହିଛି।
ଜାଗ୍ରତ ଭାରତ ନ୍ୟୁଜ୍
