Spread the love

ଆପାର୍ଟମେଣ୍ଟ ପଞ୍ଜୀକରଣରେ ବଡ଼ ସରଳୀକରଣ: ସାଧାରଣ କ୍ଷେତ୍ର ହସ୍ତାନ୍ତର ପାଇଁ ଷ୍ଟାମ୍ପ ଡ୍ୟୁଟି ₹୫୦ ହଜାର

ଭୁବନେଶ୍ୱର, ୨୮/୦୯/୨୦୨୬: ରାଜ୍ୟରେ ଆପାର୍ଟମେଣ୍ଟ କ୍ରୟ, ହସ୍ତାନ୍ତର ଓ ପଞ୍ଜୀକରଣ ପ୍ରକ୍ରିୟାକୁ ଆହୁରି ସରଳ କରିବା ଲକ୍ଷ୍ୟରେ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଏନେଇ ବିଧାନସଭାରେ ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍, ୨୦୨୬ ଉପସ୍ଥାପିତ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ବିଲ୍‌ ଗୃହରେ ଉପସ୍ଥାପନ କରିଛନ୍ତି।

ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ଆପାର୍ଟମେଣ୍ଟ ପ୍ରକଳ୍ପର ସାଧାରଣ କ୍ଷେତ୍ର ଓ ସୁବିଧାଗୁଡ଼ିକୁ ପ୍ରମୋଟରଙ୍କଠାରୁ Association of Allotteesଙ୍କ ସପକ୍ଷରେ ହସ୍ତାନ୍ତର କରାଯିବା ସମୟରେ ମାତ୍ର ₹୫୦,୦୦୦ ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡ଼ିବ। ଏହି ବ୍ୟବସ୍ଥା ଦ୍ୱାରା ଆପାର୍ଟମେଣ୍ଟ ମାଲିକଙ୍କ ଉପରେ ପଡ଼ୁଥିବା ଅତିରିକ୍ତ ଆର୍ଥିକ ଭାର ହ୍ରାସ ପାଇବ।

ଆପାର୍ଟମେଣ୍ଟ ହସ୍ତାନ୍ତରରେ ୫% ଏକକ ଷ୍ଟାମ୍ପ ଡ୍ୟୁଟି

ବର୍ତ୍ତମାନ ଆପାର୍ଟମେଣ୍ଟର ମୂଲ୍ୟ ଅନୁସାରେ ୩%, ୪% ଓ ୫% ହାରରେ ଷ୍ଟାମ୍ପ ଡ୍ୟୁଟି ଲାଗୁ ହେଉଛି। ପ୍ରସ୍ତାବିତ ସଂଶୋଧନରେ ଏହି ସ୍ଲାବ୍ ବ୍ୟବସ୍ଥାକୁ ସରଳ କରି ସମସ୍ତ ଆପାର୍ଟମେଣ୍ଟ ୟୁନିଟ୍ ହସ୍ତାନ୍ତର ପାଇଁ ୫% ଏକକ ହାର ଧାର୍ଯ୍ୟ କରିବାକୁ ପ୍ରସ୍ତାବ ରହିଛି।

ପୂର୍ବ ବ୍ୟବସ୍ଥାରେ ₹୫ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟର ଆପାର୍ଟମେଣ୍ଟ ପାଇଁ ୩%, ₹୫ ଲକ୍ଷରୁ ₹୧୫ ଲକ୍ଷ ପର୍ଯ୍ୟନ୍ତ ୪% ଏବଂ ₹୧୫ ଲକ୍ଷରୁ ଅଧିକ ମୂଲ୍ୟର ଆପାର୍ଟମେଣ୍ଟ ପାଇଁ ୫% ଷ୍ଟାମ୍ପ ଡ୍ୟୁଟି ଲାଗୁ ହେଉଥିଲା।

ସାଧାରଣ କ୍ଷେତ୍ର ପଞ୍ଜୀକରଣ ଦେୟ ₹୨୦ ହଜାରରେ ସୀମିତ

ଆପାର୍ଟମେଣ୍ଟର ସାଧାରଣ କ୍ଷେତ୍ର ଓ ସୁବିଧା ହସ୍ତାନ୍ତର ସମ୍ବନ୍ଧୀୟ ପଞ୍ଜୀକରଣ ଦେୟକୁ ପୂର୍ବରୁ ₹୨୦,୦୦୦ରେ ସୀମିତ କରାଯାଇଛି। ପ୍ରକଳ୍ପର ସାଧାରଣ କ୍ଷେତ୍ର ମଧ୍ୟରେ ଜମି ସହିତ ଗ୍ୟାରେଜ୍, ସିଡ଼ି, ଲିଫ୍ଟ ଓ ଅନ୍ୟାନ୍ୟ ସୁବିଧା ସାମିଲ ରହିଥାଏ।

ସରକାରଙ୍କ ମତରେ, ଏହି ବ୍ୟବସ୍ଥା ଦ୍ୱାରା ଏକପଟେ ଆପାର୍ଟମେଣ୍ଟ ମାଲିକଙ୍କ ଆର୍ଥିକ ଭାର କମିବ ଏବଂ ଅନ୍ୟପଟେ ସରକାରଙ୍କ ରାଜସ୍ୱ ସ୍ୱାର୍ଥ ମଧ୍ୟ ସୁରକ୍ଷିତ ରହିବ।

EWS ଆବାସ ପାଇଁ ୯୦% ଛାଡ଼

ଆର୍ଥିକ ଦୁର୍ବଳ ବର୍ଗ (EWS) ପାଇଁ ସୁଲଭ ଆବାସ ଯୋଜନା ଅଧୀନରେ ଘର ପାଇଁ ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଦେୟରେ ସରକାର ୯୦% ଛାଡ଼ ପ୍ରଦାନ କରୁଛନ୍ତି। ତେଣୁ ପୂର୍ବ ବ୍ୟବସ୍ଥାରେ ₹୧୫ ଲକ୍ଷ ପର୍ଯ୍ୟନ୍ତ ଆପାର୍ଟମେଣ୍ଟ ପାଇଁ ଲାଗୁ ହେଉଥିବା ୩% ଓ ୪% ହାରର ବିଶେଷ ବ୍ୟବସ୍ଥାର ଆବଶ୍ୟକତା ରହୁନାହିଁ ବୋଲି ସରକାର ପକ୍ଷରୁ କୁହାଯାଇଛି।

ଆପାର୍ଟମେଣ୍ଟ ମାଲିକଙ୍କ ଉପରେ ଭାର କମାଇବା ଲକ୍ଷ୍ୟ

ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଅଧିନିୟମ, ୨୦୨୩ ଅନୁଯାୟୀ, ପ୍ରମୋଟରଙ୍କୁ ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍‌ ହସ୍ତାନ୍ତର ପୂର୍ବରୁ ପ୍ରକଳ୍ପର ସାଧାରଣ କ୍ଷେତ୍ର ଓ ସୁବିଧା Association of Allotteesଙ୍କ ସପକ୍ଷରେ ପଞ୍ଜୀକୃତ ଦଲିଲ ମାଧ୍ୟମରେ ହସ୍ତାନ୍ତର କରିବାକୁ ପଡ଼େ। ଏହି ପ୍ରକ୍ରିୟାରେ ଷ୍ଟାମ୍ପ ଡ୍ୟୁଟିକୁ ନେଇ ମାଲିକମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ପଡ଼ୁଥିବାରୁ ଏବେ ଏହାକୁ ସରଳ କରିବାକୁ ସଂଶୋଧନ ଅଣାଯାଇଛି।

ପ୍ରସ୍ତାବିତ ବ୍ୟବସ୍ଥାରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍‌ର ହସ୍ତାନ୍ତର ଦଲିଲରେ ସାଧାରଣ କ୍ଷେତ୍ରର ଅବିଭକ୍ତ ଆନୁପାତିକ ଅଂଶକୁ ସାମିଲ କରି ୫% ହାରରେ ଷ୍ଟାମ୍ପ ଡ୍ୟୁଟି ଲାଗୁ କରାଯିବ।

ଏହି ସଂଶୋଧନ ପୂର୍ବରୁ ଅଧ୍ୟାଦେଶ ଆକାରରେ ଜାରି ହୋଇ ଓଡ଼ିଶା ଗେଜେଟରେ ପ୍ରକାଶିତ ହୋଇଥିଲା। ବିଧାନସଭାରେ ବିଲ୍‌ ପାରିତ ହେବା ପରେ ଏହା ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ଅଧିନିୟମ, ୨୦୨୬ ଭାବେ କାର୍ଯ୍ୟକାରୀ ହେବ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କହିବା ଅନୁଯାୟୀ, ପ୍ରସ୍ତାବିତ ସଂଶୋଧନ ଲାଗୁ ହେଲେ ଆପାର୍ଟମେଣ୍ଟ ପଞ୍ଜୀକରଣ ଓ ହସ୍ତାନ୍ତର ପ୍ରକ୍ରିୟା ଅଧିକ ସରଳ ଓ ସୁଗମ ହେବ। ଏଥିସହ ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥ ସୁରକ୍ଷା ସହ ରାଜ୍ୟ ସରକାରଙ୍କ ରାଜସ୍ୱ ସ୍ୱାର୍ଥକୁ ମଧ୍ୟ ସୁରକ୍ଷିତ ରଖାଯିବ।

Leave a Reply

Your email address will not be published. Required fields are marked *