Spread the love

ଆରମ୍ଭ ହେଲା ଓଡ଼ିଶା ଖଦି ଓ MSME ଏକ୍ସପୋ–୨୦୨୬

 ଏମ୍ଏସ୍ଏମ୍ଇ ବିକାଶର ସଶକ୍ତ ସ୍ତମ୍ଭ : ମନ୍ତ୍ରୀ

 ଖଦି ସ୍ୱଦେଶୀ ଓ ସ୍ୱାବଲମ୍ବନର ପ୍ରତୀକ : ମନ୍ତ୍ରୀ

 ସପ୍ତାହରେ ଗୋଟିଏ ଦିନ ଖଦି ପିନ୍ଧିବା ପାଇଁ ମନ୍ତ୍ରୀଙ୍କ ଆହ୍ଵାନ

 ଗ୍ରାମୀଣ ଅର୍ଥନୀତିର ସମୃଦ୍ଧରେ ଖଦି ଓ ଗ୍ରାମୋଦ୍ୟୋଗର ବଳିଷ୍ଠ ଭୂମିକା ରହିଛି : ମନ୍ତ୍ରୀ

ଭୁବନେଶ୍ଵର, ତା: ୨୫/୧୧/୨୦୨୬

ଏମ୍ଏସ୍ଏମ୍ଇରେ ସମୃଦ୍ଧି ଏବଂ ଖଦି ଓ ଗ୍ରାମୋଦ୍ୟୋଗରେ ଆତ୍ମନିର୍ଭରତା ହେଉଛି ଆମର ଲକ୍ଷ୍ୟ । ଏମ୍ଏସ୍ଏମ୍ଇ ବିକାଶର ସଶକ୍ତ ସ୍ତମ୍ଭ ହୋଇଥିବା ବେଳେ ଖଦି ସ୍ୱଦେଶୀ ଓ ସ୍ୱାବଲମ୍ବନର ପ୍ରତୀକ ବୋଲି କହିଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ । “ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ–୨୦୨୬”ର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଏହା କହିଛନ୍ତି । ଏହି ଅବସରରେ ସପ୍ତାହରେ ଗୋଟିଏ ଦିନ ଖଦି ପିନ୍ଧିବା ପାଇଁ ଶ୍ରୀଯୁକ୍ତ ମଲ୍ଲିକ ନିବେଦନ କରିଛନ୍ତି । ନିଯୁକ୍ତି, ରୋଜଗାର ଓ ସମୃଦ୍ଧ ଗ୍ରାମୀଣ ଅର୍ଥନୀତିରେ ଖଦି ଓ ଗ୍ରାମୋଦ୍ୟୋଗର ବଳିଷ୍ଠ ଭୂମିକା ରହିଛି ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଅବସରରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ମହୁ ଚାଷ ଉପରେ ପ୍ରକାଶିତ ପୁସ୍ତକ ଉନ୍ମୋଚିତ ହୋଇଥିଲା ।

ଏହି ଏକ୍ସପୋ ଉଦ୍ୟୋଗୀମାନଙ୍କୁ ନିଜ ଉତ୍ପାଦର ପ୍ରଚାର, ବ୍ରାଣ୍ଡିଂ, ଗ୍ରାହକଙ୍କ ମତାମତ ହାସଲ, ନୂତନ ବଜାର ଅନ୍ୱେଷଣ ଓ ବ୍ୟବସାୟିକ ସମ୍ପର୍କ ସ୍ଥାପନର ସୁଯୋଗ ପ୍ରଦାନ କରିବ ବୋଲି ଏମ୍ଏସ୍ଏମ୍ଇ ବିଭାଗର କମିଶନର-ତଥା-ଶାସନ ସଚିବ ରଶ୍ମିତା ପଣ୍ଡା କହିଛନ୍ତି ।

ଆଜିଠାରୁ ଆରମ୍ଭ ହୋଇଥିବା “ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ–୨୦୨୬” ଚଳିତ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ ୧୮୦ଟି ଷ୍ଟଲ୍‌ର ବ୍ୟବସ୍ଥା କରାଯାଇଛି । ଏଥିରେ ୮୦ଟି ଷ୍ଟଲ୍ ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କ ପାଇଁ, ୫୦ଟି ଷ୍ଟଲ୍ ଖଦି ଓ ଗ୍ରାମୋଦ୍ୟୋଗ, ୧୦ଟି ଷ୍ଟଲ୍ ଷ୍ଟାର୍ଟଅପ୍, ୧୦ଟି ଷ୍ଟଲ୍ ଏମ୍ଏସ୍ଏମ୍ଇ-ଡିଏଫ୍ଓ (ଡେଭଲପମେଣ୍ଟ ଆଣ୍ଡ ଫାସିଲିଏସନ୍ ଅଫିସ୍-କଟକ), ୧୦ଟି ଷ୍ଟଲ୍ ଡିଇପିଏମ୍ (ଡାଇରେକ୍ଟୋରେଟ୍ ଅଫ୍ ଏକ୍ସପୋର୍ଟ, ପ୍ରମୋସନ ଆଣ୍ଡ ମାର୍କେଟିଙ୍ଗ) ଏବଂ ୨୦ଟି ଷ୍ଟଲ୍ ଓଟିଡିସି ପାଇଁ ରଖାଯାଇଛି । ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଦିବା ୧୧ ଘଟିକାରୁ ରାତି ୯.୩୦ ପର୍ଯ୍ୟନ୍ତ ଷ୍ଟଲ ଖୋଲା ରହିବ । ଉଦ୍ୟୋଗୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ଅବଗତ କରାଇବା ପାଇଁ ପ୍ରତ୍ୟେକ ଦିନ ବିଷୟଭିତ୍ତିକ ସେମିନାର ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ଭୁବନେଶ୍ଵର (ଏକାମ୍ର) ବିଧାୟକ ବାବୁ ସିଂ, ଶିଳ୍ପ ନିର୍ଦ୍ଦେଶକ ଅବୋଲି ସୁନିଲ ନରଭଣେ, ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ରାଜ୍ୟ ନିର୍ଦ୍ଦେଶକ ସୁଭାଷ ଛେତ୍ରୀ, ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଚିବ ଗଦାଧର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *