Spread the love

ସଂସଦର ଉଭୟ ସଦନ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ। ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ତଥା ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଉଭୟ ସଦନ ବାରମ୍ବାର ମୁଲତବୀ ରହିଥିଲା। ଲୋକସଭା ତିନିଥର ଓ ରାଜ୍ୟସଭା ଦୁଇଥର ମୁଲତବୀ ଘୋଷଣା ହୋଇଥିଲା। ପରବର୍ତ୍ତୀ ଅଧିବେଶନ ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ।

ଜାତୀୟ କ୍ରୀଡ଼ା ଶାସନ ବିଲ୍‍-୨୦୨୫ ଏବଂ ଜାତୀୟ ଡୋପିଂ ନିରୋଧୀ ସଂଶୋଧନ ବିଲ୍‍-୨୦୨୫ ଆଜି ସଂସଦର ଅନୁମୋଦନ ଲାଭ କରିଛି।

ପୂର୍ବରୁ ଏହା ଲୋକସଭାରେ ପାରିତ ହୋଇଥିବାବେଳେ ଆଜି ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି। ଏହି ବିଲ୍‍ କେନ୍ଦ୍ର ସରକାରଙ୍କୁ ଏକ ଜାତୀୟ କ୍ରୀଡ଼ା ବୋର୍ଡ ପ୍ରତିଷ୍ଠା କରିବାକୁ କ୍ଷମତା ପ୍ରଦାନ କରୁଛି। ଯାହା ଜାତୀୟ କ୍ରୀଡ଼ା ସଂସ୍ଥାଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିବା ସହ ସେମାନଙ୍କର ସହଯୋଗୀ ୟୁନିଟ୍‍ ପଞ୍ଜୀକୃତ କରିବ। କ୍ରୀଡ଼ା ସମ୍ବନ୍ଧୀୟ ବିବାଦଗୁଡ଼ିକର ବିଚାର ପାଇଁ ଏହି ବିଲ୍‍ରେ ଏକ ଜାତୀୟ କ୍ରୀଡ଼ା ଟ୍ରିବ୍ୟୁନାଲ ଗଠନର ବ୍ୟବସ୍ଥା ମଧ୍ୟ ରହିଛି।ଜାତୀୟ ଡୋପିଂ ନିରୋଧୀ ସଂଶୋଧନ ବିଲ୍‍-୨୦୨୫ ପୂର୍ବର ଜାତୀୟ ଡୋପିଂ ନିରୋଧୀ-୨୦୨୨କୁ ସଂଶୋଧନ କରିବାକୁ ଚାହୁଁଛି। ଡୋପିଂ ନିରୋଧୀ ନିୟମ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି- ନାଡା ପ୍ରତିଷ୍ଠା ହେବା ସହ ନାଡାର କାର୍ଯ୍ୟକଳାପ ତଦାରଖ କରିବା ଏବଂ କେନ୍ଦ୍ର ସରକାରଙ୍କୁ ଡୋପିଂ ନିରୋଧୀ ନିୟମ ଉପରେ ପରାମର୍ଶ ଦେବା ପାଇଁ ଜାତୀୟ ଡୋପିଂ ନିରୋଧୀ କ୍ରୀଡ଼ା ବୋର୍ଡ ପ୍ରତିଷ୍ଠା ପାଇଁ ଏହି ବିଲ୍‍ରେ ବ୍ୟବସ୍ଥା ରହିଛି।ଏହି ବିଲ୍‍ ଜାତୀୟ ଡୋପିଂ ନିରୋଧୀ କ୍ରାଡ଼ା ବୋର୍ଡକୁ ଶୃଙ୍ଖଳା ପ୍ୟାନେଲ ଏବଂ ଅପିଲ୍‍ ପ୍ୟାନେଲରୁ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ଯେକୌଣସି ସୂଚନା ପାଇବାକୁ କ୍ଷମତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ସରକାର କ୍ରୀଡ଼ା ସଂଘର ନିର୍ବାଚନରେ ସ୍ୱଚ୍ଛତା ଆଣିବା ପାଇଁ ଏହି ବିଲ୍‍ ଆଣିଛନ୍ତି ବୋଲି ଆଲୋଚନାର ଉତ୍ତର ଦେଇ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି।

Leave a Reply

Your email address will not be published. Required fields are marked *