Spread the love

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ବିବାହର ଧ୍ବନି ପ୍ରତିଧ୍ୱନିତ ହେବାକୁ ଯାଉଛି। ମଧ୍ୟପ୍ରଦେଶର ଶିବପୁରୀର ବାସିନ୍ଦା ପୁନମ ଗୁପ୍ତା ରାଷ୍ଟ୍ରପତି ଭବନରେ ବିବାହ କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ପୁନମ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଜଣେ ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ରାଷ୍ଟ୍ରପତି ଭବନରେ ପିଏସଓ ଭାବରେ ବର୍ତ୍ତମାନ କାର୍ଯ୍ୟରତ।ସେ ଜମ୍ମୁ ଓ କାଶ୍ମୀରରେ ନିଯୁକ୍ତ ଥିବା ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅବନୀଶ କୁମାରଙ୍କୁ ବିବାହ କରିବେ।ତେବେ ବିବାହ ଫେବୃଆରୀ ୧୨ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ। ପୁନମଙ୍କ ବାପାମାଆ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଏହି ବିବାହରେ କେବଳ ପୁନମଙ୍କ ନିକଟସ୍ଥ ସମ୍ପର୍କୀୟ ମାନେ ହିଁ ଯୋଗ ଦେବେ ବୋଲି ଜଣାପଡିଛି। ଏହି ବିବାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ଅନେକ ବଡ଼ ରାଜନୈତିକ ବ୍ୟକ୍ତିବିଶେଷ ମାନେ ମଧ୍ଯ ପୁନମଙ୍କୁ ଆଶୀର୍ବାଦ ଦେବା ପାଇଁ ଆସିବେ।ପିଏସଓ ଭାବରେ ନିଯୁକ୍ତ ପୁନମଙ୍କ ଆଚରଣ ଏବଂ ବ୍ୟବହାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁବ୍ ପ୍ରଭାବିତ। ପୁନମଙ୍କ ବିବାହ ସମ୍ପର୍କରେ ଜାଣିବା ପରେ ସେ ରାଷ୍ଟ୍ରପତି ଭବନର ମଦର ଟେରେସା କ୍ରାଉନ୍ କମ୍ପ୍ଲେକ୍ସରେ ତାଙ୍କ ବିବାହ ପାଇଁ ସମସ୍ତ ଆୟୋଜନ କରିଥିଲେ। ବିବାହରେ ଯେଉଁ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ସାମିଲ କରାଯିବ ସେମାନଙ୍କ ପାଇଁ ପ୍ରାରମ୍ଭିକ ଔପଚାରିକତା କରାଯାଉଥିବା ଜଣାପଡିଛି।ତେବେ ପୁନମ UPSC CAPF ପରୀକ୍ଷା-୨୦୧୮ରେ ୮୧ତମ ରାଙ୍କ୍ ହାସଲ କରିଥିଲେ ଏବଂ ପରେ ସିଆରପିଏଫରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହୋଇଥିଲେ। ୨୦୨୪ ମସିହାରେ ଗଣତନ୍ତ୍ର ଦିବସରେ ହୋଇଥିବା ପରେଡରେ ପୁନମ ସିଆରପିଏଫର ମହିଳା ଦଳକୁ ନେତୃତ୍ୱ କରିଥିଲେ।

Leave a Reply

Your email address will not be published. Required fields are marked *