Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଉପକଣ୍ଠରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

୬୦ କ୍ବିଣ୍ଟାଲ ଧାନ ନଷ୍ଟ

ଜେ. ବି. ଏନ୍ (୧୧/୦୧ /୨୦୨୧)

ଖଣ୍ଡଗିରି : ଭୁବନେଶ୍ବର ଉପକଣ୍ଠରେ ଏବେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। କେତେବେଳେ ବିଲରେ ଧାନ ଗଛ ନଷ୍ଟ କଲାଣି ତ କେତେବେଳେ ଖଳାରେ ଧାନ ଗଦା ସହ ଧାନ ବସ୍ତା ନଷ୍ଟ କଲାଣି। ହାତୀ ଉପଦ୍ରବ ଉପକଣ୍ଠ ଚାଷୀଙ୍କ ପାଇଁ ଚିନ୍ତା କାରଣ ହୋଇଛି। ବନ ବିଭାଗ ପକ୍ଷରୁ କ୍ଷତିପୂରଣ ଦିଆଯିବା ବାହାନାରେ ହାତୀ ଘଉଡ଼ାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଯାହା ବି ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ। ହଳଦିଆ ରେଞ୍ଜ ପକ୍ଷରୁ ଯେମିତି ସହଯୋଗ ମିଳୁଛି ଖୋର୍ଦ୍ଧା ଓ ସିଟି ରେଞ୍ଜ ପକ୍ଷରୁ ସେମିତି ସହଯୋଗ ମିଳୁନାହିଁ ବୋଲି ଚାଷୀମାନେ ଦୁଃଖର ସହ କହିଛନ୍ତି । ଗତ ୨୦ ଦିନ ଭିତରେ ଚନ୍ଦକା ଅଭୟାରଣ୍ୟରୁ ଗୋଟିଏ ହାତୀ ଆସି ମଳିପଡ଼ା ଓ ଗୋଠପାଟଣା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ଅଞ୍ଚଳର ଜ୍ଞାନ ପଟ୍ଟନାୟକଙ୍କ ବାଡ଼ିରୁ ଧାନବସ୍ତା ନଷ୍ଟ କରିବା ସହ ଅନ୍ୟ କେତେକ ଲୋକଙ୍କ ପାଚେରି ଭାଙ୍ଗି ବାଡ଼ି ବଗିଚା ନଷ୍ଟ କରିଥିଲା। ପରଦିନ ମଦନପୁର ଅଞ୍ଚଳରେ ପଶି ସଚ୍ଚିଦାନନ୍ଦ ଚମ୍ପତିଙ୍କ ବାଡ଼ିରେ ପ୍ରାୟ ୫୦ ବସ୍ତା ଧାନ ନଷ୍ଟ କରିଥିଲା। ଏହାର ୧୦ଦିନ ପୂର୍ବରୁ ଗୌଡ଼ କାଶିପୁରର ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ପାଚେରି ଭାଙ୍ଗି ଧାନ ବସ୍ତା ନଷ୍ଟ କରିଥିବା ସହ ଅନ୍ୟ କେତେକ ଲୋକଙ୍କ ବାଡ଼ି ବଗିଚାକୁ ଉଜାଡ଼ି ଦେଇଥିଲା। ପ୍ରାୟ ୬୦ କ୍ବିଣ୍ଟାଲ ଧାନ ହାତୀ ନଷ୍ଟ କରିଥିବା ଜଣାପଡ଼ିଛି। ଗତ ଅକ୍ଟୋବର ଓ ନଭେମ୍ବର ମାସରେ ଜଟଣୀ ବ୍ଲକ ଅଙ୍ଗାରପଡ଼ା, ଗଙ୍ଗପଡ଼ା ଛତାବର ଆଦି ପଞ୍ଚାୟତରେ ହାତୀ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିଲା। ଏଥିରେ ପ୍ରାୟ ୫୦ଏକର ଧାନ ଜମି ନଷ୍ଟ ହୋଇଥିବା ଚାଷୀ ମାନେ କହିଛନ୍ତି।

ଯଦି ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା, କ୍ଷତିପୂରଣ ପ୍ରଦାନ ଓ ହାତୀର ଗତିବିଧି ଉପରେ ନଜର ରଖା ନ ଯାଏ ତେବେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି।