ବାଲେଶ୍ୱର, ୧୦/୧୧: ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସରଳ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର ବାଲେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (Unified Pension Management Portal- UPMP)ର ଶୁଭାରମ୍ଭ କରିବା ସହ ମଧୁବାବୁ ପେନସନ୍ ଯୋଜନାରେ ୫ ଲକ୍ଷ ୫ ହଜାର ୮୧୭ ଜଣ ନୂତନ ହିତାଧିକାରୀଙ୍କୁ ସାମିଲ କରିଛନ୍ତି। ଏହି ଅବସରରେ କିଛି ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଜ ହାତରେ ଭତ୍ତା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ଜିଲ୍ଲାର ସାଂସଦ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକମାନେ ଯୋଗଦେଇଥିଲେ।
ପେନସନ୍ ପାଇଁ ଆଉ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିବନି
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୋଗ୍ୟ ହିତାଧିକାରୀଙ୍କୁ ପେନସନ୍ ପାଇବା ପାଇଁ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଣିକି ଆବେଦନ ମଞ୍ଜୁର ହେବାର ପରବର୍ତ୍ତୀ ମାସରୁ ହିଁ ହିତାଧିକାରୀମାନେ ନିଜର ପ୍ରାପ୍ୟ ପେନସନ୍ ପାଇପାରିବେ। ନୂତନ ଭାବେ ସାମିଲ ହୋଇଥିବା ହିତାଧିକାରୀମାନଙ୍କୁ ଅକ୍ଟୋବର ମାସଠାରୁ ବକେୟା ଭତ୍ତା ପ୍ରଦାନ କରାଯିବ।
ଡିସେମ୍ବରରୁ ପ୍ରତି ମାସ ୧୫ ତାରିଖରେ ଭତ୍ତା
ନୂତନ ବ୍ୟବସ୍ଥା ଅନୁଯାୟୀ, ନଭେମ୍ବର ୧୧ ଓ ୧୨ ତାରିଖରେ ଜିଲ୍ଲାସ୍ତରରେ ଏବଂ ୧୩ ଓ ୧୪ ତାରିଖରେ ବ୍ଲକସ୍ତରରେ ସ୍ୱତନ୍ତ୍ର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ହେବ। ଏହି ସମୟରେ ଭତ୍ତା ନେଇପାରିନଥିବା ହିତାଧିକାରୀମାନେ ନଭେମ୍ବର ୧୫ ତାରିଖରେ ନିଜ ନିଜ ଗ୍ରାମପଞ୍ଚାୟତ କିମ୍ବା ସହରାଞ୍ଚଳ ୱାର୍ଡ କାର୍ଯ୍ୟାଳୟରୁ ନଗଦ ଅର୍ଥ ଗ୍ରହଣ କରିପାରିବେ। ଆସନ୍ତା ଡିସେମ୍ବର ମାସଠାରୁ ପ୍ରତି ମାସ ୧୫ ତାରିଖରେ ନିୟମିତ ଭାବେ ପେନସନ୍ ବଣ୍ଟନ କରାଯିବ।

୮୦ ବର୍ଷ ହେଲେ ସ୍ୱତଃ ବଢ଼ିବ ପେନସନ୍
ବୟସ୍କ ହିତାଧିକାରୀଙ୍କ ପାଇଁ ମଧ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସୁବିଧା ଘୋଷଣା କରିଛନ୍ତି। ହିତାଧିକାରୀଙ୍କ ବୟସ ୮୦ ବର୍ଷ ପୂରଣ ହେବା ପରେ ପରବର୍ତ୍ତୀ ମାସରୁ ବର୍ଦ୍ଧିତ ପେନସନ୍ ଆପେଆପେ ଲାଗୁ ହେବ। ଏଥିପାଇଁ ଆଉ ନୂଆ ଆବେଦନ କିମ୍ବା କାଗଜପତ୍ର ଦାଖଲ କରିବାକୁ ପଡ଼ିବନି। ଏହି ବୟସ ବର୍ଗର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ମାସିକ ୩,୫୦୦ ଟଙ୍କା ପେନସନ୍ ବ୍ୟବସ୍ଥା ରହିଛି।
UPMP ପୋର୍ଟାଲରେ ମିଳିବ ପେନସନ୍ ସମ୍ପର୍କିତ ସୁବିଧା
ନୂତନ ଭାବେ ଶୁଭାରମ୍ଭ ହୋଇଥିବା UPMP ପୋର୍ଟାଲ ମାଧ୍ୟମରେ ପେନସନ୍ ଆବେଦନ, ହିତାଧିକାରୀଙ୍କ ତଥ୍ୟ ପରିଚାଳନା, ଯୋଗ୍ୟତା ଯାଞ୍ଚ ଏବଂ ଭତ୍ତା ପ୍ରଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସରଳ କରାଯିବ। ଏଣିକି ଯୋଗ୍ୟ ବ୍ୟକ୍ତିମାନେ ନିଜ ନିକଟସ୍ଥ ବ୍ଲକ୍ ଉନ୍ନୟନ ଅଧିକାରୀ (BDO)ଙ୍କ କାର୍ଯ୍ୟାଳୟରେ ଆବେଦନ କରିବା ସହ ଅନଲାଇନ୍ରେ ମଧ୍ୟ ଆବେଦନ କରିପାରିବେ।
ଏଥିପାଇଁ ସରକାରଙ୍କ ଅଧିକାରିକ ପୋର୍ଟାଲ https://upmp.odisha.gov.in ଉପଲବ୍ଧ ରହିଛି।

NSAP ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା
ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ଥିବା ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ପେନସନ୍ ଯୋଜନାର ହିତାଧିକାରୀଙ୍କ ପାଇଁ ମଧ୍ୟ ନୂତନ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ଅଂଶ ପୂର୍ବପରି ସିଧାସଳଖ ବ୍ୟାଙ୍କ ଖାତାକୁ ଯିବାବେଳେ ରାଜ୍ୟ ସରକାରଙ୍କ ଅଂଶ ଗ୍ରାମପଞ୍ଚାୟତ କିମ୍ବା ସହରାଞ୍ଚଳ ୱାର୍ଡ କାର୍ଯ୍ୟାଳୟ ମାଧ୍ୟମରେ ନଗଦ ପ୍ରଦାନ କରାଯିବ।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ଅସହାୟ ବର୍ଗର ଲୋକମାନେ ଉପକୃତ ହେବେ। ରାଜ୍ୟରେ ପେନସନ୍ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସହ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସମୟୋଚିତ ସହାୟତା ପହଞ୍ଚାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

