ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ କ୍ୟାଡରର ପୁନର୍ଗଠନ
ଜଳସମ୍ପଦ ବିଭାଗର କାର୍ଯ୍ୟଭାର ସହିତ ଏହାର ଆନୁସଙ୍ଗିକ ବଜେଟ୍ ବହୁଗୁଣିତ ହୋଇଛି। ଏହା ଜଳ ସଂରକ୍ଷଣ ତଥା ଜଳ କ୍ଷେତ୍ରର ଭିତ୍ତିଭୂମି ନିର୍ମାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରତିଫଳନ, ଯାହା ଆଗାମୀ ବର୍ଷଗୁଡ଼ିକରେ ଓଡ଼ିଶାର ବର୍ଦ୍ଧିତ ଚାହିଦା ପୂରଣ କରିବା ସହ ୨୦୩୬ ପାଇଁ ରାଜ୍ୟର ଲକ୍ଷ୍ୟ (ଭିଜନ) ହାସଲ କରିବାରେ ସହାୟକ ହେବ। ଏହାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର କନିଷ୍ଠ ଯନ୍ତ୍ରୀ (JE) ଏବଂ ସହକାରୀ ଯନ୍ତ୍ରୀ (AE) ମାନଙ୍କ ମଧ୍ୟରେ ଥିବା ବର୍ତ୍ତମାନର ଅନୁପାତ ୪୦:୬୦ କୁ ୬୦:୪୦ କୁ ପରିବର୍ତ୍ତନ କରି ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ (ODES) କ୍ୟାଡରର ପୁନର୍ଗଠନକୁ ଅନୁମୋଦନ କରିଛନ୍ତି।
ବର୍ତ୍ତମାନର କ୍ୟାଡର ବ୍ୟବସ୍ଥାରେ ସହକାରୀ ଯନ୍ତ୍ରୀ ସ୍ତରରେ ପଦବୀ ସଂଖ୍ୟାର ଅନୁପାତ ଅଧିକ ରହିବା ଫଳରେ ଏହା ଏକ ‘ଆଣ୍ଟି-ପିରାମିଡାଲ’ (anti-pyramidal) ବ୍ୟବସ୍ଥା ସୃଷ୍ଟି କରୁଥିଲା, ଯାହାଦ୍ୱାରା ବହୁ ସଂଖ୍ୟକ ପଦୋନ୍ନତି ପଦବୀ ଖାଲି ପଡ଼ି ରହୁଥିଲା ଏବଂ ସେବାରେ ଥିବା କର୍ମଚାରୀଙ୍କ ନିରନ୍ତର କ୍ୟାରିୟର ପ୍ରଗତି ବାଧାପ୍ରାପ୍ତ ହେଉଥିଲା।
ଏହି ସଂଶୋଧିତ କ୍ୟାଡର ବ୍ୟବସ୍ଥାର ଲକ୍ଷ୍ୟ ହେଉଛି ଏକ ଅଧିକ ସନ୍ତୁଳିତ ତଥା ଯୁକ୍ତିଯୁକ୍ତ ପିରାମିଡାଲ ଶ୍ରେଣୀକ୍ରମ (hierarchy) ପ୍ରତିଷ୍ଠା କରିବା, ଉନ୍ନତ କ୍ୟାରିୟର ପ୍ରଗତିକୁ ସୁଗମ କରିବା, ଉପଲବ୍ଧ ବୈଷୟିକ ମାନବସମ୍ବଳର ଉପଯୁକ୍ତ ବିନିଯୋଗକୁ ସୁନିଶ୍ଚିତ କରିବା ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଇଞ୍ଜିନିୟରିଂ ପ୍ରତିଷ୍ଠାନଗୁଡ଼ିକରେ ପ୍ରଶାସନିକ ଦକ୍ଷତାକୁ ସୁଦୃଢ଼ କରିବା।
କ୍ୟାଡରର ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟାରେ କୌଣସି ପରିବର୍ତ୍ତନ ନକରି ଏହି ପୁନର୍ଗଠନ କରାଯିବ ଏବଂ କନିଷ୍ଠ ଯନ୍ତ୍ରୀ ତଥା ସହକାରୀ ଯନ୍ତ୍ରୀ ସ୍ତର ମଧ୍ୟରେ ପଦବୀଗୁଡ଼ିକର ଏକ ଉପଯୁକ୍ତ ବଣ୍ଟନ ସୁନିଶ୍ଚିତ କରାଯିବ।
ଏହି ନିଷ୍ପତ୍ତି କ୍ୟାଡର ପରିଚାଳନାକୁ ମଜଭୁତ କରିବା ସହିତ ଓଡ଼ିଶା ସରକାରଙ୍କ ବିଭିନ୍ନ ଲାଇନ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ଡିପ୍ଲୋମା ଇଞ୍ଜିନିୟରମାନଙ୍କ ପାଇଁ ଏକ ଦୀର୍ଘସ୍ଥାୟୀ ପଦୋନ୍ନତି ବ୍ୟବସ୍ଥା ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
