Spread the love

ଆଜି ରାଜ୍ୟ କ୍ୟାବିନେଟ୍ ବଲାଙ୍ଗିର ଜିଲ୍ଲାର ତୁସ୍ତାପଲ୍ଲୀ ଗ୍ରାମ ନିକଟରେ ଜଳ ସୁରକ୍ଷା ନିମନ୍ତେ ଏକ ଅନ୍ତଃନଦୀ ଜଳାଶୟ (In-Stream Storage Structure) ନିର୍ମାଣ ପାଇଁ ୧୦୫,୬୨,୩୩,୯୬୦.୦୦ ଟଙ୍କା (ଏକ ଶହ ପାଞ୍ଚ କୋଟି ବାଷଠି ଲକ୍ଷ ତେତିଶ ହଜାର ନଅ ଶହ ଷାଠିଏ ଟଙ୍କା – GST ବ୍ୟତୀତ) ଟେଣ୍ଡରକୁ ଅନୁମୋଦନ କରିଛନ୍ତି।

ବଲାଙ୍ଗିର ଜିଲ୍ଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଦୀର୍ଘସ୍ଥାୟୀ ଜଳାଭାବ ସମସ୍ୟାର ସମାଧାନ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ସଇଁତଳା ବ୍ଲକ୍ ଅନ୍ତର୍ଗତ ତୁସ୍ତାପଲ୍ଲୀ ଗ୍ରାମ ନିକଟରେ ତେଲ ନଦୀର ଉପନଦୀ ‘ଲାନ୍ଥ’ ଉପରେ ଏହି ଅନ୍ତଃନଦୀ ଜଳାଶୟ ନିର୍ମାଣ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପଟିକୁ ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏହି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଜୁନ୍‌ରୁ ଅକ୍ଟୋବର ମଧ୍ୟରେ ପ୍ରାୟ ୯୦% ବୃଷ୍ଟିପାତ ହୋଇଥାଏ। ମାତ୍ର ସେହି ସମୟରେ ଅଧିକାଂଶ ଭୂପୃଷ୍ଠ ଜଳ ନଦୀ ଦେଇ ସମୁଦ୍ରକୁ ବହିଯାଉଥିବାରୁ ଶୁଷ୍କ ଦିନଗୁଡ଼ିକରେ ଏହି ମରୁଡ଼ି-ସମ୍ବେଦନଶୀଳ ଅଞ୍ଚଳରେ ପ୍ରବଳ ଜଳାଭାବ ଦେଖାଦିଏ। ଏହି ନୂତନ ଅନ୍ତଃନଦୀ ଜଳାଶୟ ବର୍ଷା ଦିନର ଜଳକୁ ସିଧାସଳଖ ନଦୀ ଗର୍ଭରେ ସଂରକ୍ଷଣ କରି ରଖିବ, ଯାହା ଶୁଷ୍କ ଋତୁ ପାଇଁ ଜଳର ଏକ ଗୁରୁତ୍ୱପୂର୍ଣ୍ଣ ଭଣ୍ଡାର ଭାବେ କାର୍ଯ୍ୟ କରିବ।

ପ୍ରମୁଖ ବିଶେଷତ୍ୱ ଓ ପ୍ରଭାବ:

  • ମରୁଡ଼ି ନିୟନ୍ତ୍ରଣ ଓ ପାନୀୟ ଜଳ: ସଇଁତଳା ବ୍ଲକର ୧୨ଟି ମରୁଡ଼ିପ୍ରବଣ ଗ୍ରାମକୁ ବର୍ଷ ତମାମ ନିର୍ଭରଯୋଗ୍ୟ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବ।
  • ଜୀବିକା ସୁରକ୍ଷା: ଶୁଷ୍କ ଋତୁ ଯୋଗୁଁ ପ୍ରଭାବିତ ହେଉଥିବା ପଶୁପାଳନ, ମତ୍ସ୍ୟଚାଷ ତଥା ଗ୍ରାମୀଣ ଜୀବିକା ପାଇଁ ଆବଶ୍ୟକୀୟ ଜଳ ନିରାପତ୍ତା ପ୍ରଦାନ କରିବ।
  • ଭୂତଳ ଜଳସ୍ତର ବୃଦ୍ଧି: ଭୂତଳ ଜଳଭଣ୍ଡାରର ପୁନଃଭରଣ କରିବା ସହ ମରୁଭୂମିକରଣ ଓ ଜଳକ୍ଷୟ ବିରୋଧରେ ଲଢ଼ି ସ୍ଥାନୀୟ ପରିବେଶକୁ ସନ୍ତୁଳିତ ରଖିବ।

ଋତୁକାଳୀନ ଅତିରିକ୍ତ ଜଳକୁ ସାଇତି ରଖି ଏହି ପ୍ରକଳ୍ପ ରାଜ୍ୟର ଅନ୍ୟତମ ମରୁଡ଼ିପ୍ରବଣ ଅଞ୍ଚଳ ପାଇଁ ଦୀର୍ଘକାଳୀନ ଜଳବାୟୁ ସହନଶୀଳତା ଓ ଜଳ ସୁରକ୍ଷା ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *