କୃଷି ଓ ଗ୍ରାମୀଣ ପାନୀୟ ଜଳ କ୍ଷେତ୍ରରେ ନବସୃଜନ ପାଇଁ ‘ଡିଆଇଏଲ୍–ଇଣ୍ଡିଆ’ ସହ ଓଡ଼ିଶା ସରକାରଙ୍କ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର, ୧୮/୧୧/୨୦୨୬: ‘ବିକଶିତ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ଲକ୍ଷ୍ୟ ହାସଲ ଦିଗରେ କୃଷି ଏବଂ ଗ୍ରାମୀଣ ପାନୀୟ ଜଳ କ୍ଷେତ୍ରରେ ବୈଷୟିକ ନବସୃଜନକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଆଜି ‘ଡେଭଲପମେଣ୍ଟ ଇନୋଭେସନ୍ ଲ୍ୟାବ୍-ଇଣ୍ଡିଆ’ (DIL-India) ସହ ଏକ ଦୁଇ ବର୍ଷିଆ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି। ୟୁନିଭରସିଟି ଅଫ୍ ଚିକାଗୋ ଟ୍ରଷ୍ଟ ଅଧୀନରେ କାର୍ଯ୍ୟରତ ଏହି ସଂସ୍ଥା ସହ ଲୋକସେବା ଭବନଠାରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହଙ୍କ ଉପସ୍ଥିତିରେ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଏବଂ ୟୁନିଭରସିଟି ଅଫ୍ ଚିକାଗୋ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଲେନି ଚୌଧୁରୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।
ନୋବେଲ ବିଜେତା ପ୍ରଫେସର ମାଇକେଲ କ୍ରେମରଙ୍କ ଦ୍ୱାରା ବିକଶିତ ଅର୍ଥନୈତିକ ଗବେଷଣା ପଦ୍ଧତି ବ୍ୟବହାର କରି ବିଭିନ୍ନ ଯୋଜନାର ସଫଳତା ପରୀକ୍ଷଣ ଓ ପ୍ରସାର କରିବା ଏହି ସହଭାଗିତାର ମୁଖ୍ୟ ଉଦ୍ଦେଶ୍ୟ। ୨୦୨୩ ମସିହାରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହ ଚାଲିଥିବା ବୈଷୟିକ ସହଯୋଗକୁ ଏହା ଆନୁଷ୍ଠାନିକ ରୂପ ଦେଇଛି।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଛନ୍ତି ଯେ, ଏହି ସହଭାଗିତା ତଥ୍ୟ-ଆଧାରିତ ଶାସନ ଏବଂ ଜଳବାୟୁ ସହନଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ‘କୃଷି ସମୃଦ୍ଧି’ ଏବଂ ‘କୃଷି ୩୬୦’ ମାଧ୍ୟମରେ ଚାଷୀଙ୍କୁ ଏଆଇ (AI) ଆଧାରିତ ସ୍ଥାନୀୟ ପାଣିପାଗ ଓ ଗ୍ରୀଷ୍ମ ପ୍ରବାହ ସୂଚନା ମିଳିପାରିବ ଏବଂ ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ପ୍ରକଳ୍ପରେ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ ହୋଇପାରିବ। ଯୋଜନା ଓ ସଂଯୋଜନା ବିଭାଗର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଷ୍ଟିୟରିଂ କମିଟି ପ୍ରତି ୬ ମାସରେ ଏହାର କାର୍ଯ୍ୟକାରିତାର ସମୀକ୍ଷା କରିବ
