କେନ୍ଦୁଝରରେ ବିକାଶର ନୂଆ ଅଧ୍ୟାୟ: ୧୨୯୨ କୋଟିର ୩୩୦ ପ୍ରକଳ୍ପର ଶୁଭାରମ୍ଭ
ଟେକ୍-ବିଜନେସ୍ ପାର୍କଠାରୁ ଡେଣ୍ଟାଲ ଓ ନର୍ସିଂ କଲେଜ, କ୍ୟାନସର ସ୍କ୍ରିନିଂ କେନ୍ଦ୍ର ପର୍ଯ୍ୟନ୍ତ ଅନେକ ପ୍ରକଳ୍ପ
“ଯୁବପିଢ଼ିଙ୍କୁ ଆଉ ବାଙ୍ଗାଲୋର କିମ୍ବା ହାଇଦ୍ରାବାଦ ଯିବାକୁ ପଡ଼ିବନି, ନିଜ ମାଟିରେ ମିଳିବ ନିଯୁକ୍ତି” – ମୁଖ୍ୟମନ୍ତ୍ରୀ
କେନ୍ଦୁଝର: ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ପ୍ରଯୁକ୍ତିବିଦ୍ୟା ଓ ଯୋଗାଯୋଗ କ୍ଷେତ୍ରରେ କେନ୍ଦୁଝରକୁ ଏକ ନୂଆ ପରିଚୟ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବଡ଼ ଧରଣର ବିକାଶମୂଳକ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଯାଇ ମୋଟ ୧୨୯୨ କୋଟି ଟଙ୍କା ବ୍ୟୟରେ ୩୩୦ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୪୧୨ କୋଟି ଟଙ୍କାର ୧୯୮ଟି ପ୍ରକଳ୍ପ ଲୋକାର୍ପିତ ହୋଇଥିବାବେଳେ ୮୮୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୧୩୨ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝରର ଯୁବପିଢ଼ିଙ୍କୁ ଆଉ ଚାକିରି ପାଇଁ ବାଙ୍ଗାଲୋର କିମ୍ବା ହାଇଦ୍ରାବାଦ ଯିବାକୁ ପଡ଼ିବ ନାହିଁ। ନିଜ ଜିଲ୍ଲାରେ ହିଁ ନିଯୁକ୍ତି, ଉଦ୍ୟୋଗ ଓ ପ୍ରଗତିର ନୂଆ ସୁଯୋଗ ସୃଷ୍ଟି ହେବ।
ଟେକ୍-ବିଜନେସ୍ ପାର୍କ ଖୋଲିବ ନିଯୁକ୍ତିର ନୂଆ ରାସ୍ତା
କେନ୍ଦୁଝରରେ ୫.୫୧ ଏକର ଜମିରେ ୨୩୭ କୋଟି ଟଙ୍କା ବ୍ୟୟରେ ୧୫ ମହଲା ବିଶିଷ୍ଟ ଟେକ୍-ବିଜନେସ୍ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଉତ୍ତର ଓଡ଼ିଶାର ଏହି ଆଧୁନିକ ବାଣିଜ୍ୟିକ ଓ ପ୍ରଯୁକ୍ତିଭିତ୍ତିକ ପ୍ରତିଷ୍ଠାନ ଯୁବକଯୁବତୀଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିକୁ ଗତିଶୀଳ କରିବ ବୋଲି ଆଶା ପ୍ରକାଶ କରାଯାଇଛି।
ଶିକ୍ଷା କ୍ଷେତ୍ରରେ ୬୩୦ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ
ରାଜ୍ୟ ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬୩୦ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିରେ କେନ୍ଦୁଝର ଜିଲ୍ଲାର ୩୫ଟି ବିଦ୍ୟାଳୟ ସାମିଲ ଅଛି। ଏହି ବିଦ୍ୟାଳୟଗୁଡ଼ିକ ପାଇଁ ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟ ହେବ।
ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗଢ଼ିବା ଲକ୍ଷ୍ୟରେ ୨୦୨୫-୨୬ରୁ ୨୦୨୮-୨୯ ମଧ୍ୟରେ ୨୨୦୦ଟି ବିଦ୍ୟାଳୟର ଉନ୍ନତିକରଣ ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ୍ ଶିକ୍ଷା ଉପକରଣ, କ୍ରୀଡ଼ା ସୁବିଧା ସହିତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ଗୁରୁତ୍ୱ ଦିଆଯିବ।
ସ୍ୱାସ୍ଥ୍ୟସେବାରେ ବଡ଼ ପଦକ୍ଷେପ
ଧରଣୀଧର ମେଡିକାଲ କଲେଜ ପରିସରରେ DMF ସହାୟତାରେ ୬ କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତିଭିତ୍ତିକ ପ୍ରିଭେଣ୍ଟିଭ୍ କ୍ୟାନସର ସ୍କ୍ରିନିଂ କେନ୍ଦ୍ର ଉଦ୍ଘାଟିତ ହୋଇଛି। ଏଠାରେ ଲୋକଙ୍କୁ ସମସ୍ତ ସେବା ମାଗଣାରେ ମିଳିବ।
ଏଥିସହ ୫୮ କୋଟି ୪୦ ଲକ୍ଷ ଟଙ୍କାରେ ୭ ମହଲା ବିଶିଷ୍ଟ ଡେଣ୍ଟାଲ କଲେଜ ଏବଂ ୬୩ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ନର୍ସିଂ କଲେଜର ଶିଳାନ୍ୟାସ ହୋଇଛି। ଏହାସହ କେନ୍ଦୁଝରରେ ଏକ ସରକାରୀ ଫାର୍ମାସୀ କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ୧୦ କୋଟି ଟଙ୍କାର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ, ୩୨ କୋଟି ଟଙ୍କାର ମଡୁଲାର ଓଟି କମ୍ପ୍ଲେକ୍ସ, ମଲ୍ଟି-ୟୁଟିଲିଟି ସେଣ୍ଟର, ପୋଲିସ ଆଉଟପୋଷ୍ଟ ଓ ୩୦ ଜଣିଆ ବାରାକ୍ ମଧ୍ୟ ଲୋକାର୍ପିତ ହୋଇଛି। ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ DMF ପାଣ୍ଠିରୁ ୨୩ଟି ନୂଆ ଆମ୍ବୁଲାନ୍ସ ମଧ୍ୟ ପ୍ରଦାନ କରାଯାଇଛି।
ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ ଉଦ୍ଘାଟିତ
ମୁଖ୍ୟମନ୍ତ୍ରୀ ୧୪ କୋଟି ଟଙ୍କା ବ୍ୟୟରେ ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସକୁ ଉଦ୍ଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କ ଯାତାୟାତ ସୁବିଧା ପାଇଁ ନ୍ୟାସନାଲ କମନ୍ ମୋବିଲିଟି କାର୍ଡ (NCMC) ମଧ୍ୟ ବଣ୍ଟନ କରାଯାଇଥିଲା। ଏହା ମାଧ୍ୟମରେ ମାଗଣା ବସ୍ ସେବା ଉପଲବ୍ଧ ହେବ।
ସହରାଞ୍ଚଳର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦୁଝର, ଯୋଡ଼ା ଓ ବଡ଼ବିଲ ପୌରପାଳିକାକୁ ୨୬ଟି ପରିମଳ ଉପକରଣ ଓ ଗାଡ଼ି ପ୍ରଦାନ କରାଯାଇଛି। ଏଥିସହ କେନ୍ଦୁଝରକୁ ସଂଯୋଗ କରୁଥିବା ରାସ୍ତାର ସମ୍ପ୍ରସାରଣ ଏବଂ ବଡ଼ବିଲରେ ରିଙ୍ଗ ରୋଡ୍ ନିର୍ମାଣ ପଦକ୍ଷେପ ନିଆଯାଇଛି।
ଜନ୍ମମାଟି ପାଇଁ ସେବା ଜାରି ରଖିବି: ମୁଖ୍ୟମନ୍ତ୍ରୀ
ସମାବେଶରେ ଭାବବିହ୍ୱଳ ହୋଇ ମୁଖ୍ୟମନ୍ତ୍ରୀ କହିଥିଲେ, “ଓଡ଼ିଶା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ହୋଇପାରେ, କିନ୍ତୁ କେନ୍ଦୁଝରବାସୀଙ୍କ ପାଇଁ ମୁଁ ସେହି ପୁରୁଣା ମୋହନ ଭାଇ।” ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜନ୍ମମାଟିର ସେବା କରିବାକୁ ସେ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ।
ସେ ଆହୁରି କହିଥିଲେ ଯେ ପ୍ରାଥମିକ ଶିକ୍ଷା ହେଉଛି ପିଲାଙ୍କ ଭବିଷ୍ୟତର ମୂଳଦୁଆ। ଏହି ମୂଳଦୁଆକୁ ମଜବୁତ କରିବା ପାଇଁ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହୋଇଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ରାଜ୍ୟରେ ୨୮ ହଜାର ୬୩୯ ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ସେ ସୂଚନା ଦେଇଥିଲେ।
କେନ୍ଦୁଝରରେ ଶିଳ୍ପାୟନ, ଟେକ୍ସଟାଇଲ୍ ପାର୍କ, ମେଗା ଷ୍ଟିଲ୍ ପ୍ଲାଣ୍ଟ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଜିଲ୍ଲାର ଅର୍ଥନୀତିକୁ ନୂଆ ଦିଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଶିକ୍ଷା ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ସାଂସଦ ଅନନ୍ତ ନାଏକ, ବିଧାୟକ ଡ. ଫକୀର ମୋହନ ନାଏକ, ଅଖିଳ ଚନ୍ଦ୍ର ନାଏକ ଓ ଅନ୍ୟ ଜନପ୍ରତିନିଧି ଯୋଗଦେଇଥିଲେ।
ସମଗ୍ର କାର୍ଯ୍ୟକ୍ରମ କେନ୍ଦୁଝରର ବିକାଶ ସହ ଉତ୍ତର ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତିର ନୂଆ ସମ୍ଭାବନା ସୃଷ୍ଟି କରିବାର ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।
