ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
ସମ୍ବଲପୁର-କଟକ NH-55କୁ ୬ ଲେନ୍ କରିବା ସହ ୪ ଅଣ୍ଡରପାସ୍ ଓ ଫ୍ଲାଏଓଭର ପାଇଁ ଦାବି
ନୂଆଦିଲ୍ଲୀ: ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳରେ ବଢ଼ୁଥିବା ଶିଳ୍ପ, ଖଣିଜ ଓ ଆର୍ଥିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଏନେଇ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖି ଏକାଧିକ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ଚିଠିରେ ଶ୍ରୀ ପ୍ରଧାନ ସମ୍ବଲପୁର-ଅନୁଗୋଳ-କଟକ କରିଡରର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଏହି ରାଜପଥ ପଶ୍ଚିମ ଓଡ଼ିଶାକୁ ରାଜ୍ୟର ପ୍ରମୁଖ ଶିଳ୍ପ, ବାଣିଜ୍ୟିକ ଓ ସହରାଞ୍ଚଳ ସହ ସଂଯୋଗ କରୁଥିବାରୁ ଏହାର ଉନ୍ନତୀକରଣ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଦର୍ଶାଇଛନ୍ତି।
ବର୍ତ୍ତମାନ ଏହି ରାସ୍ତାରେ ଯାତ୍ରୀବାହୀ, ମାଲବାହୀ ଓ ଶିଳ୍ପ ସମ୍ବନ୍ଧୀୟ ଯାନବାହନ ଚଳାଚଳ ବଢ଼ିଥିବାରୁ ସମ୍ବଲପୁର-କଟକ NH-55କୁ ୪ ଲେନ୍ରୁ ୬ ଲେନ୍କୁ ସମ୍ପ୍ରସାରଣ କରିବାକୁ ସେ ଦାବି କରିଛନ୍ତି। ଏଥିସହ ରାଜପଥର ଉଭୟ ପାର୍ଶ୍ୱରେ ଦୁଇ ଲେନ୍ ବିଶିଷ୍ଟ ସର୍ଭିସ୍ ରୋଡ୍ ନିର୍ମାଣ ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି।
ସେହିପରି ସଡ଼କ ସୁରକ୍ଷାକୁ ପ୍ରାଥମିକତା ଦେଇ ପିଆଇୟୁ, ସମ୍ବଲପୁର ପକ୍ଷରୁ ପ୍ରସ୍ତାବିତ ଜିନ୍ଦଲ ରୋଡ୍, ଜରପଡ଼ା, ଜେରାଙ୍ଗ ଓ ଚାରମାଳଠାରେ ୪ଟି ଅଣ୍ଡରପାସ୍ ନିର୍ମାଣ ପ୍ରକଳ୍ପକୁ ଶୀଘ୍ର ପ୍ରଶାସନିକ ଓ ଆର୍ଥିକ ମଞ୍ଜୁରୀ ଦେବାକୁ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି।
ଅନ୍ୟପକ୍ଷରେ, NH-53ର ସମ୍ବଲପୁର ସିଟି ରେଳ ଷ୍ଟେସନ୍ ଛକରେ ଯାତାୟାତକୁ ଅଧିକ ସୁରକ୍ଷିତ ଓ ସୁଗମ କରିବା ପାଇଁ ଫ୍ଲାଏଓଭର ନିର୍ମାଣ ପ୍ରସ୍ତାବକୁ ଶୀଘ୍ର ଅନୁମୋଦନ କରି କାମ ଆରମ୍ଭ କରିବାକୁ ମଧ୍ୟ ସେ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ସମ୍ବଲପୁର ଅଞ୍ଚଳର ବଢ଼ୁଥିବା ଯାତାୟାତ ଚାପ, ଶିଳ୍ପାୟନ ଓ ଆର୍ଥିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପଗୁଡ଼ିକ ଶୀଘ୍ର ରୂପାୟଣ ହେଲେ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଓ ସଡ଼କ ସୁରକ୍ଷାରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଛନ୍ତି।
