Spread the love

ଗଣେଶ ପୂଜା ପାଇଁ ମୂର୍ତ୍ତି ଗଢ଼ାରେ ବ୍ୟସ୍ତ କାରିଗର
ଆଗକୁ ଆସୁଛି ପବିତ୍ର ଗଣେଶ ପୂଜା। ପୂଜାକୁ ନେଇ ଚାରିଆଡ଼େ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଢେଙ୍କାନାଳ ମିନା ବଜାର କୁମ୍ଭାର ସାହିରେ ମଧ୍ୟ ଏବେ ଚାଲିଛି ଜୋରଦାର ପ୍ରସ୍ତୁତି। ଦିନରାତି ଏକ କରି ଗଣେଶଙ୍କ ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ ଅଛନ୍ତି ମୂର୍ତ୍ତି କାରିଗରମାନେ।
ମାଟିକୁ ନିଜ ହାତର ସ୍ପର୍ଶରେ ଦେଇ ଚାଲିଛନ୍ତି ନୂଆ ରୂପ। କେଉଁଠି ମୂର୍ତ୍ତିର ମୁଖମଣ୍ଡଳ ତିଆରି ହେଉଛି, ତ କେଉଁଠି ଚାଲିଛି ରଙ୍ଗ ଓ ସାଜସଜ୍ଜା କାମ। ଗଣେଶ ପୂଜା ପୂର୍ବରୁ ବିଭିନ୍ନ ଆକାର ଓ ଡିଜାଇନର ମୂର୍ତ୍ତି ପ୍ରସ୍ତୁତ କରିବାରେ ବ୍ୟସ୍ତ କାରିଗର।

ମୂର୍ତ୍ତି ତିଆରି ପାଇଁ ମାଟି ସଂଗ୍ରହଠାରୁ ଆରମ୍ଭ କରି ମୂର୍ତ୍ତି ଗଢ଼ିବା, ଶୁଖାଇବା, ରଙ୍ଗ କରିବା ଓ ଶେଷରେ ସାଜସଜ୍ଜା କରିବା—ପ୍ରତ୍ୟେକ ପର୍ଯ୍ୟାୟରେ ଲାଗୁଛି କାରିଗରଙ୍କ ପରିଶ୍ରମ।

କାରିଗରମାନେ କହିଛନ୍ତି, ପୂଜା ଯେତିକି ପାଖେଇ ଆସୁଛି, ମୂର୍ତ୍ତିର ଚାହିଦା ମଧ୍ୟ ସେତିକି ବଢ଼ୁଛି। ତେଣୁ ସମୟ ମଧ୍ୟରେ ଅର୍ଡର ପୂରଣ କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି ସେମାନେ।

ଢେଙ୍କାନାଳ ମିନା ବଜାର କୁମ୍ଭାର ସାହିରେ କାରିଗରଙ୍କ ହାତରେ ଆକାର ନେଉଥିବା ଏହି ଗଣେଶ ମୂର୍ତ୍ତି ଆଗାମୀ ଦିନରେ ପୂଜା ମଣ୍ଡପକୁ ଦେବ ଏକ ନୂଆ ରୂପ। ଗଣେଶ ପୂଜାକୁ ନେଇ ଏବେଠାରୁ ଉତ୍ସାହିତ ଢେଙ୍କାନାଳବାସୀ।

Leave a Reply

Your email address will not be published. Required fields are marked *