Spread the love

ଗାଁର ଚିତ୍ର ବଦଳିବ, ପଞ୍ଚାୟତ ହେବ ଆଧୁନିକ

ଭୁବନେଶ୍ୱର: ଗ୍ରାମାଞ୍ଚଳର ବିକାଶକୁ ଆହୁରି ଗତି ଦେବାକୁ ନୂଆ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇଛି। ଗାଁରେ ଯେପରି ସହର ଭଳି ଆଧୁନିକ ଓ ସୁବିଧାସମ୍ପନ୍ନ ପରିବେଶ ମିଳିପାରିବ, ସେଥିପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ‘ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ’ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯିବ।

ଏହି ଯୋଜନାରେ ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ସ୍ମଶାନ ଭଳି ସାର୍ବଜନୀନ ଭିତ୍ତିଭୂମିର ବିକାଶ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

କେଉଁ ପଞ୍ଚାୟତରେ କେଉଁ ପ୍ରକଳ୍ପର ଆବଶ୍ୟକତା ରହିଛି, ତାହା ଗ୍ରାମସଭା ମାଧ୍ୟମରେ ନିର୍ଦ୍ଧାରଣ କରାଯିବ। ଲୋକଙ୍କ ଆବଶ୍ୟକତା ଓ ପ୍ରସ୍ତାବକୁ ଆଧାର କରି ବିକାଶମୂଳକ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ।

ବିଶେଷକରି ଯୁବପିଢ଼ି ପାଇଁ ଆଦର୍ଶ ଖେଳ ପଡ଼ିଆ ସହ ଜିମ୍‌ ବ୍ୟବସ୍ଥା ରହିବ। ଫଳରେ ଗ୍ରାମାଞ୍ଚଳରେ କ୍ରୀଡ଼ା, ଶାରୀରିକ ସୁସ୍ଥତା, ମନୋରଞ୍ଜନ ଓ ସାମାଜିକ କାର୍ଯ୍ୟକଳାପ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ।

ସରକାରଙ୍କ ଏହି ପଦକ୍ଷେପ ସଫଳ ହେଲେ ପଞ୍ଚାୟତଗୁଡ଼ିକର ଚିତ୍ର ବଦଳିବା ସହ ଗ୍ରାମବାସୀଙ୍କୁ ନିଜ ଅଞ୍ଚଳରେ ହିଁ ଅନେକ ଆଧୁନିକ ସୁବିଧା ମିଳିପାରିବ। ପଞ୍ଚାୟତକୁ ଏକ ସୁବିଧାସମ୍ପନ୍ନ ଓ ଆକର୍ଷଣୀୟ ଗ୍ରାମୀଣ କେନ୍ଦ୍ରରେ ପରିଣତ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ଦେଖାଯାଉଛି।

Leave a Reply

Your email address will not be published. Required fields are marked *