ଗୁପଚୁପ୍ କାରଖାନାରେ ବିଏମ୍ସି ଚଢ଼ାଉ, ବିପୁଳ ପରିମାଣର ଷ୍ଟକ୍ ଜବତ
ଭୁବନେଶ୍ୱର: ରାସ୍ତାକଡ଼ରୁ ଆରମ୍ଭ କରି ରେସ୍ତୋରାଁ ପର୍ଯ୍ୟନ୍ତ ଭୁବନେଶ୍ୱରବାସୀଙ୍କ ପସନ୍ଦର ଖାଦ୍ୟ ଗୁପଚୁପ୍। ହେଲେ ଏହାର ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ନିୟମ ପାଳନ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍ ପ୍ରସ୍ତୁତି ଅଭିଯୋଗକୁ ନେଇ ଏକ କାରଖାନାରେ ଚଢ଼ାଉ କରିଛି ଭୁବନେଶ୍ୱର ମହାନଗର ନିଗମ (BMC)।
ଚଢ଼ାଉ ସମୟରେ କାରଖାନାରେ ଗୁପଚୁପ୍ ପ୍ରସ୍ତୁତି ପାଇଁ ରଖାଯାଇଥିବା ବିପୁଳ ପରିମାଣର ଷ୍ଟକ୍ ମିଳିଥିବା ଜଣାପଡ଼ିଛି। ଖାଦ୍ୟ ପ୍ରସ୍ତୁତି ସ୍ଥାନର ପରିବେଶ, ପରିଚ୍ଛନ୍ନତା ଓ ସ୍ୱଚ୍ଛତା ବ୍ୟବସ୍ଥାକୁ ନେଇ ଯାଞ୍ଚ କରାଯାଇଥିଲା।
ଯାଞ୍ଚରେ ଅନିୟମିତତା ଓ ହାଇଜିନ୍ ସମ୍ବନ୍ଧୀୟ ତ୍ରୁଟି ନଜରକୁ ଆସିବା ପରେ ବିଏମ୍ସି ପକ୍ଷରୁ ଷ୍ଟକ୍ ଜବତ କରାଯାଇଛି। ଖାଦ୍ୟର ମାନ ଓ ଜନସ୍ୱାସ୍ଥ୍ୟ ସହ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ବୋଲି ଏଭଳି ଯାଞ୍ଚ ଅଭିଯାନ ଜାରି ରହିବା ସମ୍ଭାବନା ରହିଛି।
ବିଏମ୍ସିର ଏହି କାର୍ଯ୍ୟାନୁଷ୍ଠାନ ପରେ ରାସ୍ତାକଡ଼ରେ ବିକ୍ରି ହେଉଥିବା ଗୁପଚୁପ୍ର ସ୍ୱଚ୍ଛତା ଓ ଗୁଣବତ୍ତାକୁ ନେଇ ମଧ୍ୟ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
