Spread the love

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ
କିଶୋରନଗର: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ଉରୁକୁଳା ଗ୍ରାମପଞ୍ଚାୟତର ଉରୁକୁଳା ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ପକ୍ଷରୁ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଅଙ୍ଗନୱାଡି କର୍ମୀ, ୱାର୍ଡମେମ୍ବର, ଆଶାକର୍ମୀଙ୍କ ସମେତ ଗ୍ରାମର ବିଭିନ୍ନ ସଦସ୍ୟ ଉପସ୍ଥିତ ରହି ଶିଶୁ ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ଆଲୋଚନା କରିଥିଲେ।
ବୈଠକରେ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମ ଏବଂ ଶିଶୁମାନଙ୍କୁ ଜୀବନ ପ୍ରତି ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜିତ କରିବା ଭଳି ସମ୍ବେଦନଶୀଳ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଭଳି ଘଟଣା ଶିଶୁମାନଙ୍କ ଶାରୀରିକ, ମାନସିକ ଓ ଶିକ୍ଷାଗତ ବିକାଶ ଉପରେ କିପରି ନକାରାତ୍ମକ ପ୍ରଭାବ ପକାଏ, ସେନେଇ ସଚେତନ କରାଯାଇଥିଲା।
ବାଲ୍ୟ ବିବାହ ଓ ଶିଶୁ ଶ୍ରମରେ ନିୟୋଜିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଆଇନରେ ଥିବା ଦଣ୍ଡବିଧାନ ଓ ନିୟମାବଳୀ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ଏଥିସହ ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ଏବଂ ଶିଶୁମାନଙ୍କ ଅଧିକାର ସୁରକ୍ଷାରେ ପରିବାର ଓ ସମାଜର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ସହଯୋଗୀ ପପି ଦେହୁରୀ ବୈଠକ ପରିଚାଳନା କରିଥିଲେ। ଶିଶୁମାନଙ୍କୁ ନିରାପଦ ପରିବେଶ ଯୋଗାଇବା ସହ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *