Spread the love

ଆମେରିକା ଗ୍ରିନଲାଣ୍ଡରେ ଆଜି ସାମରିକ ବିମାନ ମୁତୟନ କରିବା ନେଇ ଉତ୍ତେଜନା ବଢ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱୟଂଶାସିତ ଡେନମାର୍କ ଅଞ୍ଚଳ ଅଧିଗ୍ରହଣ କରିବାକୁ ବିବାଦୀୟ ଉଦ୍ୟମ ବଢ଼ୁଥିବାରୁ ୟୁରୋପୀୟ ସଂଘ ନେତାମାନେ ଏହାର ବିରୋଧ ଜାରି ରଖିଛନ୍ତି। ଆଜି ଉତ୍ତର ଆମେରିକୀୟ ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ (ନୋରାଡ୍‌) ଘୋଷଣା କରିଛି ଯେ ଆମେରିକାର ବିମାନ ଉତ୍ତର-ପଶ୍ଚିମ ଗ୍ରିନଲାଣ୍ଡର ପିଟୁଫିକ୍ ସ୍ପେସ୍ ବେସରେ ପହଞ୍ଚିଛି, ଯାହା ପୂର୍ବରୁ ଥୁଲେ ଏୟାର ଫୋର୍ସ ବେସ୍ ଭାବରେ ଜଣାଶୁଣା।

ଆମେରିକାର ଏଭଳି ପଦକ୍ଷେପ ବିରୋଧରେ ଗ୍ରିନଲାଣ୍ଡବାସୀ ଏକୁଜଟ ହୋଇଛନ୍ତି।

ଉତ୍ତର ଆମେରିକାର ସୁରକ୍ଷା ପାଇଁ ନିୟମିତ ଅପରେସନକୁ ସମର୍ଥନ କରିବା ନିମନ୍ତେ ଆମେ ସାମରିକ କାର୍ଯ୍ୟକଳାପ ବଢ଼ାଇଛୁ ବୋଲି ଆମେରିକା ଆଜି ସଫେଇ ଦେଇଥିଲେ ମଧ୍ୟ ଏହାକୁ ଡେନମାର୍କ ପ୍ରତ୍ୟାଖ୍ୟାନ କରିଛି। ଅନ୍ୟପକ୍ଷରେ ନୋରାଡ୍‌ କହିଛି ଯେ ଏହି ପଦକ୍ଷେପ ସଂପର୍କରେ ଗ୍ରିନଲାଣ୍ଡକୁ ଆଗୁଆ ସୂଚନା ଦିଆଯାଇଥିଲା। ସମସ୍ତ ସହାୟକ ବାହିନୀ ଆବଶ୍ୟକ କୂଟନୈତିକ ଅନୁମୋଦନ ସହିତ କାର୍ଯ୍ୟ କରୁଛନ୍ତି। ଏହି ବିମାନ ଏହାର ତିନୋଟି ଅଞ୍ଚଳ ଆଲାସ୍କା, କାନାଡା ଓ ମହାଦେଶୀୟ ଯୁକ୍ତରାଷ୍ଟ୍ର ଆମେରିକାରେ ଅପରେସନକୁ ସମର୍ଥନ କରିବ।

ପିଟୁଫିକ୍ ସ୍ପେସ୍ ବେସ୍ ହେଉଛି ଆମେରିକାର ଏକ ପ୍ରମୁଖ ସାମରିକ ଘାଟି ଓ ଯୋଗାଯୋଗ ହବ୍। ଅନ୍ୟପକ୍ଷରେ ଆମେରିକାର ଏଭଳି ଅପ୍ରତ୍ୟାଧିତ ରଣନୀତିକୁ ଦେଖି ଡେନମାର୍କ ମଧ୍ୟ ଗ୍ରିନଲାଣ୍ଡରେ ଏହାର ସାମରିକ ଉପସ୍ଥିତିକୁ ମଜବୁତ କରିବା ପ୍ରକ୍ରିୟା ତ୍ବରାନ୍ବିତ କରିଛି। ଡେନମାର୍କ ସୈନ୍ୟ ଓ ଉପକରଣ ନେଇ ଅନେକ ବିମାନ ଦ୍ୱୀପରେ ଅବତରଣ କରିଛି। ପୂର୍ବରୁ ମଧ୍ୟ ଗ୍ରିନଲାଣ୍ଡ୍‌ରେ ଡେନ୍‌ମାର୍କ ସେନାର ୨୦୦ରୁ ଅଧିକ ସୈନିକ ମୁତୟନ ହୋଇଥିଲେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱୟଂଶାସିତ ଡେନମାର୍କ ଅଞ୍ଚଳକୁ ନିୟନ୍ତ୍ରଣ କରିବାକୁ ଧମକ ଦେବା ପରେ ଆମେରିକା ସହିତ ତିକ୍ତତା ବୃଦ୍ଧି ପାଉଥିବା ବେଳେ ଡେନମାର୍କକୁ ସହଯୋଗ ପାଇଁ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରମାନେ ଘୋଷଣା କରିଛନ୍ତି। ଡେନମାର୍କ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରୟାଲ୍ ଡେନିସ୍ ଆର୍ମିର ମୁଖ୍ୟ ପିଟର ବଏସେନ୍ ସୋମବାର ସନ୍ଧ୍ୟାରେ ବହୁ ପରିମାଣର ସୈନିକଙ୍କ ସହ ପଶ୍ଚିମ ଗ୍ରିନଲାଣ୍ଡର କାଙ୍ଗେର୍ଲୁସୁଆକରେ ପହଞ୍ଚିଛନ୍ତି ଏବଂ ପରିସ୍ଥିତି ତଦାରଖ କରିଛନ୍ତି। ୫୮ ଡେନମାର୍କ ସୈନ୍ୟ ଆର୍କଟିକ୍ ଦ୍ୱୀପରେ ଅବତରଣ କରିଥିଲେ, ଯେଉଁମାନେ ପ୍ରାୟ ୬୦ ଜଣଙ୍କ ସହ ଯୋଗ ଦେଇଥିଲେ। ସପ୍ତାହକ ମଧ୍ୟରେ ଡେନମାର୍କ ସୈନ୍ୟବାହିନୀ ନେତୃତ୍ୱରେ ଏକ ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସ ପରେ ଏହି ନିୟୋଜନ କରାଯାଇଥିଲା। କାନାଡା, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀ ଆମେରିକାର ଗ୍ରିନଲାଣ୍ଡ ନୀତିକୁ କଡ଼ା ବିରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *