Spread the love

ନୁଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଚତୁର୍ଥ ମ୍ୟାଚ ଓଲ୍‌ଡ ଟ୍ରାଫୋର୍ଡରେ ଚଳିତ ଜୁଲାଇ ୨୩ରୁ ଖେଳାଯିବ। ଏଥିପାଇଁ ଭାରତୀୟ ଦଳର ପ୍ରସ୍ତୁତି ଗୁରୁବାରଠାରୁ ଆରମ୍ଭ କରିଛି। ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଏବେ ସୁଦ୍ଧା ଇଂଲଣ୍ଡ ୨-୧ରେ ଆଗୁଆ ରହିଛି। ଶୃଙ୍ଖଳାରେ ତିଷ୍ଠି ରହିବାକୁ ହେଲେ ଓଲ୍‌ଡ ଟ୍ରାଫୋର୍ଡରେ ଭାରତକୁ ନିଶ୍ଚିତ ବିଜୟ ହାସଲ କରିବାକୁ ପଡ଼ିବ।

ଅନ୍ୟପକ୍ଷରେ ଚତୁର୍ଥ ଟେ‌ଷ୍ଟ ମ୍ୟାଚ ପୂର୍ବରୁ ଭାରତକୁ ବଡ଼ ଆଶ୍ବସ୍ତି ମିଳିଛି। ଭାରତୀୟ ସିନିୟର ମନୋନୟନ କମିଟି ମୁଖ୍ୟ ଅଜିତ ଅଗରକର ପୂର୍ବରୁ କହିଥିଲେ ଯେ, ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ସମସ୍ତ ମ୍ୟାଚରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଉପସ୍ଥିତ ରହିବେ ନାହିଁ। ବୁମ୍‌ରା ପ୍ରଥମ ଓ ୩ୟ ଟେ‌ଷ୍ଟ ଖେଳିଥିବାବେଳେ ଦ୍ବିତୀୟ ଟେଷ୍ଟରେ ବିଶ୍ରାମ ମିଳିଥିଲା। ଓଲ୍‌ଡ ଟ୍ରାଫୋର୍ଡରେ ଚତୁର୍ଥ ଟେଷ୍ଟରେ ବୁମ୍‌ରା ଖେଳିବା ନେଇ ଆଶଙ୍କା ରହିଥିଲା।କିନ୍ତୁ ଗୁରୁବାର ଦଳର ସହ ପ୍ରଶିକ୍ଷକ ରିୟାନ ଟେନ ଡୋସ୍କାଟେ ବୁମ୍‌ରା ଚତୁର୍ଥ ଟେଷ୍ଟରେ ଖେଳିବା ନେଇ ସ୍ପଷ୍ଟ କରିଛନ୍ତି। ସେହିପରି ୱିକେଟରକ୍ଷକ ଋଷଭ ପନ୍ତ ଲର୍ଡସ ଟେଷ୍ଟ ସମୟରେ ଆହତ ହୋଇଥିଲେ। ତାଙ୍କ ଆଙ୍ଗୁଠିରେ ବଲ୍‌ ବାଜିଥିଲା। ଆହତ ହେବାରୁ ସେ ଇଂଲଣ୍ଡର ପ୍ରଥମ ଇନିଂସ ଅଧାରୁ ୱିକେଟରକ୍ଷକ ଦାୟିତ୍ବ ଛାଡିଥିଲେ।ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ ୱିକେଟରକ୍ଷକ ଦାୟିତ୍ବ ତୁଲାଇଥିଲେ। ପନ୍ତ ଆହତ ସତ୍ତ୍ବେ ଉଭୟ ଇନିଂସ‌େ‌ର ବ୍ୟାଟିଂ କରିଥିଲେ। ଚତୁର୍ଥ ଟେଷ୍ଟ ପୂର୍ବରୁ ପନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ ଆଶା କରାଯାଉଛି। ସେ ଚତୁର୍ଥ ଟେଷ୍ଟ ଖେଳିବେ କିନ୍ତୁ ୱିକେଟ ରକ୍ଷକ ଦାୟିତ୍ବ ତୁଲାଇବେ କି ନାହିଁ ତାହା ପରେ ସ୍ପଷ୍ଟ କରାଯିବ ବୋଲି ଡୋସ୍କାଟେ କହିଛନ୍ତି। ବୁମ୍‌ରା ଚଳିତ ଟେଷ୍ଟ ଶୃଙ୍ଖଳାରେ ଦୁଇଟି ମ୍ୟ‌ାଚ ଖେଳି ୧୨ଟି ୱିକେଟ ନେଇଥିବା ବେଳେ ପନ୍ତ ୩ଟି ଟେଷ୍ଟରୁ ୪୨୫ରନ କରିଛନ୍ତି।

#InternationalNews #WorldNews #GlobalUpdates #VideshKhabar #GlobalHeadlines #National News

Leave a Reply

Your email address will not be published. Required fields are marked *