Spread the love

ନୂଆଦିଲ୍ଲୀ: ବର୍ଷର ଶେଷ ୧୦ ଦିନ ମଧ୍ୟରେ ଦିଲ୍ଲୀ ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଏବଂ ଆସନ୍ତାକାଲି ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଜି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିବା ସହ ସର୍ବାଧିକ ତାପମାତ୍ରା ୨୩ ଡିଗ୍ରୀ ରହିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ ।

ସେହିପରି ଆସନ୍ତା ୨୬ ତାରିଖ ବେଳକୁ ଦିଲ୍ଲୀରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ବର୍ଷ ଶେଷ ଆଡକୁ ଘନ କୁହୁଡି ବଳୟ ଭିତରେ ରାଜଧାନୀ ଦିଲ୍ଲୀ ରହିବା ନେଇ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ସେପଟେ ପୁଣି ବିଗିଡିବାରେ ଲାଗିଛି ଦିଲ୍ଲୀ ବାୟୁ ପ୍ରଦୂଷଣ । ଦିଲ୍ଲୀ ରିଅଲ୍ ଟାଇମ୍ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁଯାୟୀ ଆଜି ଏକ୍ୟୁଆଇ ସ୍ତର ସାମାନ୍ୟ ହ୍ରାସ ପାଇଛି । ତଥାପି ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ପ୍ରଦୂଷଣ ଅତ୍ୟନ୍ତ ଖରାପ ବର୍ଗରେ ରହିଛି। ଆଜି ସକାଳ ସୁଦ୍ଧା ଦିଲ୍ଲୀର ସୁଖଦେବ ବିହାରରେ ଏକ୍ୟୁଆଇ ସ୍ତର ୩୬୭ ରହିଥିବା ବେଳେ ଆଲିପୁରରେ ୩୬୨ ରେକର୍ଡ କରାଯାଇଛି ।ଗତକାଲି ଦିଲ୍ଲୀର ଏକ୍ୟୁଆଇ ସ୍ତର ‘ଗୁରୁତର’ ବର୍ଗରେ ଥିଲା । ଯେଉଁଥିରେ ପିଏମ ୨.୫ ଅଧିକ ମାତ୍ରାରେ ଥିଲା, ଯାହା ଏକ ସୂକ୍ଷ୍ମ କଣିକା ପଦାର୍ଥ ଅଟେ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ହୋଇପାରେ । ଦିଲ୍ଲୀର ୩୬ ଟି ମନିଟରିଂ ଷ୍ଟେସନ୍ ମଧ୍ୟରୁ ୧୪ ଟି ଷ୍ଟେସନର ବାୟୁ ଗୁଣବତ୍ତା ସ୍ତର ‘ଗୁରୁତର’ ବର୍ଗ ତଥା ଏକ୍ୟୁଆଇ ୪୫୦ରୁ ଅଧିକା ଥିବା ନେଇ ରେକର୍ଡ କରାଯାଇଛି । ଅବଶିଷ୍ଟ ଷ୍ଟେସନ ଗୁଡିକରେ, ଏକ୍ୟୁଆଇ ସ୍ତର ୪୦୧ ରୁ ୪୫୦ ରେକର୍ଡ କରାଯାଇଥିଲା ।

Leave a Reply

Your email address will not be published. Required fields are marked *