*ଜନଜାତି ସାହିତ୍ୟ ଓ ଭାଷାର ସଂରକ୍ଷଣ ଓ ପ୍ରଚାର ପ୍ରସାର ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ*
*ଭୁବନେଶ୍ୱର, ନଭେମ୍ବର ୧୫:* ଜନଜାତି ସାହିତ୍ୟ, ଭାଷା ଓ ପାରମ୍ପରିକ ଜ୍ଞାନର ସଂରକ୍ଷଣ ଏବଂ ପ୍ରଚାରପ୍ରସାର ଉପରେ ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଗୁରୁତ୍ୱାରୋପ କରିଛନ୍ତି l ଏହା ଭାରତର ସମୃଦ୍ଧ ଓ ବିବିଧ ସାଂସ୍କୃତିକ ଐତିହ୍ୟର ଅମୂଲ୍ୟ ସମ୍ପଦ ବୋଲି ମଧ୍ୟ କହିଛନ୍ତି।
ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପଠାରେ ରବିବାର ଦିନ ଜନଜାତୀୟ ଗୌରବ ଦିବସ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ପାଳନ ଅବସରରେ ସାହିତ୍ୟ ଅକାଦେମି ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ଅବସରରେ ରାଜ୍ୟପାଳ କହିଛନ୍ତି ଯେ, ଜନଜାତି ସାହିତ୍ୟରେ ଆଦିବାସୀ ସମାଜର ଇତିହାସ, ପରମ୍ପରା, ଅନୁଭୂତି ଓ ଜୀବନ ଦର୍ଶନ ପ୍ରତିଫଳିତ ହୋଇଥାଏ। ଏହା ଦେଶର ସାହିତ୍ୟିକ ଓ ସାଂସ୍କୃତିକ ପରିସରକୁ ସମୃଦ୍ଧ କରିଥାଏ।
ଲୋକଗୀତ, ଲୋକକଥା ଓ ଢଗଢମାଳି ମାଧ୍ୟମରେ ଜନଜାତି ସମାଜ ପିଢ଼ି ପରେ ପିଢ଼ି ନିଜର ଇତିହାସ, ସଂସ୍କୃତି ଓ ପାରମ୍ପରିକ ଜ୍ଞାନକୁ ସଂରକ୍ଷିତ କରିଆସିଛି। ଏହି ଐତିହ୍ୟର ଦସ୍ତାବିଜୀକରଣ ଓ ସୁରକ୍ଷା ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ରାଜ୍ଯପାଳ କହିଥିଲେ।
ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଜ୍ୟପାଳ କହିଥିଲେ ଯେ, ୨୦୨୧ ମସିହାରୁ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବା ଜନଜାତି ସମାଜର ଅବଦାନ ଓ ବଳିଦାନକୁ ସ୍ୱୀକୃତି ଦେବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଜନଜାତି ବୀରମାନଙ୍କ ଅବଦାନକୁ ମନେ ନପକାଇଲେ ଦେଶର ସ୍ୱାଧୀନତା ସଂଗ୍ରାମ ଓ ରାଷ୍ଟ୍ର ନିର୍ମାଣର ଇତିହାସ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ l
ଓଡ଼ିଶାର ସମୃଦ୍ଧ ଜନଜାତି ଐତିହ୍ୟ ସମ୍ପର୍କରେ ଆଲୋକପାତ କରି ରାଜ୍ଯପାଳ କହିଥିଲେ ଯେ, ପ୍ରତ୍ୟେକ ଜନଜାତି ସମ୍ପ୍ରଦାୟର ନିଜସ୍ୱ ଭାଷା, ଲୋକଗୀତ, ପରମ୍ପରା ଓ ଜୀବନଶୈଳୀ ରହିଛି। ମହେନ୍ଦ୍ରଗିରି ପର୍ବତମାଳା ଓ ପୂର୍ବଘାଟ ଜନଜାତି ଜୀବନ, ଆସ୍ଥା ଓ ପାରମ୍ପରିକ ଜ୍ଞାନର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର। ପ୍ରକୃତି ପୂଜା, ଦାରୁ ଦେବତା ଓ ମହାପ୍ରଭୁ ଜଗନ୍ନାଥଙ୍କ ସହ ଓଡ଼ିଶାର ସାଂସ୍କୃତିକ ପରମ୍ପରାର ଗଭୀର ସମ୍ପର୍କ ରହିଥିବା ରାଜ୍ଯପାଳ ଉଲ୍ଲେଖ କରିଥିଲେ।
ଜନଜାତି ଲେଖକମାନେ ନିଜ ସମାଜର ସଂଘର୍ଷ, ସଫଳତା, ଆକାଂକ୍ଷା ଓ ପରମ୍ପରାକୁ ନିଜସ୍ୱ ଭାଷା ଓ ଦୃଷ୍ଟିକୋଣରେ ଲେଖିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। ପ୍ରକୃତି ସହ ଜନଜାତି ସମାଜର ନିବିଡ଼ ସମ୍ପର୍କ ଏବଂ ଜଳ, ଜଙ୍ଗଲ ଓ ଜମି ପ୍ରତି ସେମାନଙ୍କ ସମ୍ମାନ ଜଳବାୟୁ ପରିବର୍ତ୍ତନ ଓ ପରିବେଶଗତ ଆହ୍ୱାନର ମୁକାବିଲା ପାଇଁ ମୂଲ୍ୟବାନ ଶିକ୍ଷା ଦେଇଥାଏ ବୋଲି ରାଜ୍ଯପାଳ କହିଥିଲେ।
ଜନଜାତି ଭାଷାରେ ଲେଖା, ଗବେଷଣା, ପ୍ରକାଶନ ଓ ଅନୁବାଦକୁ ପ୍ରୋତ୍ସାହନ ଦେବାକୁ ସାହିତ୍ୟ ଏକାଡେମୀ, ବିଶ୍ୱବିଦ୍ୟାଳୟ, ଗବେଷଣା ସଂସ୍ଥା ଓ ପ୍ରକାଶକମାନଙ୍କୁ ରାଜ୍ଯପାଳ ଆହ୍ୱାନ ଦେଇଥିଲେ। ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତର-ପୂର୍ବାଞ୍ଚଳ ଓ ମଧ୍ୟଭାରତର ଜନଜାତି ସାହିତ୍ୟ ଦେଶ ତଥା ବିଦେଶର ପାଠକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ ବୋଲି ସେ କହିଥିଲେ।
୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ସମ୍ପର୍କରେ ରାଜ୍ୟପାଳ କହିଥିଲେ ଯେ, ଜନଜାତି ସମାଜକୁ ବିକାଶ ପ୍ରକ୍ରିୟାରେ ସମାନ ଭାଗୀଦାର କରିବା ସହ ସେମାନଙ୍କ ଭାଷା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ହେଲେ ହିଁ ବିକାଶର ପ୍ରକୃତ ଅର୍ଥ ସାକାର ହେବ। ଜନଜାତି ଯୁବପିଢ଼ି ମାତୃଭାଷା ଓ ସାଂସ୍କୃତିକ ମୂଳଦୁଆ ସହ ଯୋଡ଼ି ହୋଇ ରହିବା ସହ ଆଧୁନିକ ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବାକୁ ସେ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ. ବିଜୟ କେତନ ଉପାଧ୍ୟାୟ ଏବଂ ବିଶିଷ୍ଟ ଜନଜାତି ଲେଖକ ଡ. ପି. ଶିବରାମକୃଷ୍ଣ ଉଦ୍ବୋଧନ ଦେଇଥିଲେ। ସାହିତ୍ୟ ଅକାଦେମିର ସଚିବ ଡ. ବରୁଣ ଗୁଲାଟି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
