Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକ (ସିସିପିଏ)ରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଏବେ ଆଗାମୀ ଜନଗଣନାରେ ଜାତି ଭିତ୍ତିକ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ । ସ୍ୱାଧୀନତା ପରଠାରୁ ହୋଇଥିବା ଜନଗଣନାରେ ଜାତି ସମ୍ପର୍କିତ ସୂଚନା ଅନ୍ତର୍ଭୁକ୍ତ କରାଯାଇ ନଥିବାରୁ ଏହି ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ।

ସରକାର ବିଶ୍ୱାସ କରନ୍ତି ଯେ ଏହି ପଦକ୍ଷେପ ସମାଜର ସମସ୍ତ ବର୍ଗକୁ ପରିଚୟ ଏବଂ ପ୍ରତିନିଧିତ୍ୱ ଦେବାରେ ସାହାଯ୍ୟ କରିବ ବୋଲି କ୍ୟାବିନେଟ ବୈଠକ ପରେ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।୨୦୨୬ରେ ହେବାକୁ ଥିବା ଜନଗଣନା ସହ ହେବ ଜାତିଗତ ଜନଗଣନା । ଲୋକଙ୍କ ସାମାଜିକ ଦୃଷ୍ଟିକୋଣକୁ ବିଚାରକୁ ନେଇ ଜାତିଗତ ଜନଗଣନା ପାଇଁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର ।ସମ୍ବିଧାନର ଧାରା ୨୪୬ ଅନୁଯାୟୀ, ଜନଗଣନା ଏକ କେନ୍ଦ୍ରୀୟ ବିଷୟ ଏବଂ ଏହା ୟୁନିଅନ ତାଲିକାରେ ଅନ୍ତର୍ଭୁକ୍ତ । ଏପର୍ଯ୍ୟନ୍ତ କିଛି ରାଜ୍ୟ ନିଜ ସ୍ତରରେ ଜାତିଭିତ୍ତିକ ସର୍ଭେ କରିଛନ୍ତି, କିନ୍ତୁ ଏହାର ସ୍ୱଚ୍ଛତା ଏବଂ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠିଛି । ଅନେକ ଥର ଏହି ସର୍ଭେଗୁଡ଼ିକ ରାଜନୈତିକ ଉଦ୍ଦେଶ୍ୟ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା । ଏସବୁ କଥାକୁ ବିଚାର କରି, ଏବେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଜାତିଗୁଡ଼ିକୁ କୌଣସି ପୃଥକ ପ୍ରକ୍ରିୟା ମାଧ୍ୟମରେ ଗଣନା କରାଯିବ ନାହିଁ ବରଂ ଏହାକୁ ଜନଗଣନାର ଏକ ଅଂଶ କରି ଗଣନା କରାଯିବ । ଏହା ତଥ୍ୟର ନିର୍ଭରଯୋଗ୍ୟତା ଏବଂ ଉପଯୋଗିତା ଉଭୟକୁ ବୃଦ୍ଧି କରିବ ।ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ଉପଯୁକ୍ତ ସ୍ୱୀକୃତି ଏବଂ ସୁଯୋଗ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କହିଛନ୍ତି । ଏହା ଦେଶରେ ସାମାଜିକ ନ୍ୟାୟକୁ ସୁଦୃଢ଼ କରିବ ଏବଂ ବିକାଶ ପ୍ରକ୍ରିୟା ଅଧିକ ଅନ୍ତର୍ଭୁକ୍ତ ହେବ । ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ଯେତେବେଳେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (EWS)ଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯାଇଥିଲା, କୌଣସି ବର୍ଗ ଏହାକୁ ବିରୋଧ କରିନଥିଲେ । ଏହା ସ୍ପଷ୍ଟ କରେ ଯେ ଯେତେବେଳେ ନିଷ୍ପତ୍ତିଗୁଡ଼ିକ ନିରପେକ୍ଷ ଏବଂ ସନ୍ତୁଳିତ ହୁଏ, ସମାଜ ସେଗୁଡ଼ିକୁ ସହଜରେ ଗ୍ରହଣ କରେ ।

Leave a Reply

Your email address will not be published. Required fields are marked *