Spread the love

ଜିନ୍ଦଲ ଷ୍ଟିଲ ପକ୍ଷରୁ ଶ୍ରୀ ଓ.ପି. ଜିନ୍ଦଲଙ୍କ ୯୬ତମ ଜନ୍ମ ବାର୍ଷିକୀ ପାଳିତ

ଅନୁଗୋଳ, ୭ା୮: ଜିନ୍ଦଲ ଷ୍ଟିଲର ପ୍ରତିଷ୍ଠାତା ଶ୍ରୀ ଓ.ପି. ଜିନ୍ଦଲ (ବାଉଜୀ)ଙ୍କ ୯୬ତମ ଜନ୍ମ ବାର୍ଷିକୀ ଅନୁଗୋଳରେ ବିଭିନ୍ନ ସାମାଜିକ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ସହ ପାଳିତ ହୋଇଯାଇଛି। ଏହି ଅବସରରେ ଓ.ପି. ଜିନ୍ଦଲ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୬ର ଶୁଭାରମ୍ଭ ହୋଇଛି।

ସମାବେଶକୁ ସମ୍ବୋଧିତ କରି ଜିନ୍ଦଲ ଷ୍ଟିଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି.ଆର୍. ଶର୍ମା ଭାରତୀୟ ଇସ୍ପାତ ଶିଳ୍ପରେ ଶ୍ରୀ ଓ.ପି. ଜିନ୍ଦଲଙ୍କ ଅବଦାନକୁ ମନେପକାଇ ଥିଲେ। ସେ କହିଥିଲେ, ପାଇପ୍‌ ନିର୍ମାଣରୁ ବାଉଜୀ ତାଙ୍କ ଶିଳ୍ପ ଯାତ୍ରା ଆରମ୍ଭ କରିଥିଲେ। ପରେ ଏହା ଏକ ବୃହତ୍‌ ଇସ୍ପାତ ଉଦ୍ୟୋଗର ରୂପ ନେଇଥିଲା। ପରିବାରର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ସେ ବ୍ୟବସାୟରେ ସାମିଲ ହେବାକୁ ପ୍ରେରଣା ଦେଇଥିଲେ।

ଶ୍ରୀ ଶର୍ମା କହିଥିଲେ, “ବାଉଜୀଙ୍କ ଜୀବନଯାତ୍ରା ଭାରତର ଶିଳ୍ପ ଇତିହାସର ଏକ ପ୍ରେରଣାଦାୟକ ଅଧ୍ୟାୟ। ପାଇପ୍‌ ନିର୍ମାଣରୁ ଆରମ୍ଭ କରି ସେ ରାଷ୍ଟ୍ର ନିର୍ମାଣ ଓ ରୋଜଗାର ସୃଷ୍ଟିକୁ ପ୍ରାଥମିକତା ଦେଇ ଏକ ବୃହତ୍‌ ଇସ୍ପାତ ଉଦ୍ୟୋଗ ଗଢ଼ିଥିଲେ।”

ସେ କହିଥିଲେ, ଆଜି ଓ.ପି. ଜିନ୍ଦଲ ଗ୍ରୁପ୍‌ ୫୦ ମିଲିୟନ ଟନ୍‌ରୁ ଅଧିକ ଇସ୍ପାତ ଉତ୍ପାଦନ କରୁଛି। ଭାରତ ଓ ବିଦେଶରେ ପ୍ରାୟ ୨ ମିଲିୟନ ଲୋକଙ୍କୁ ଏହା ରୋଜଗାର ଯୋଗାଇ ଦେଉଛି।

ଜିନ୍ଦଲ ଷ୍ଟିଲ ଅନୁଗୋଳର ଆଇରନ୍‌ ଜୋନ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ, ଓ.ପି. ଜିନ୍ଦଲଙ୍କ ସହ କାର୍ଯ୍ୟ କରିବାର ଅନୁଭୂତି ପ୍ରକାଶ କରିଥିଲେ। ସେ କହିଥିଲେ, ସ୍ୱଦେଶୀ ସମ୍ପଦର ଉପଯୋଗ ଓ ଉତ୍ତମମାନର ଇସ୍ପାତ ଉତ୍ପାଦନ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନ ବାଉଜୀଙ୍କ ଦୂରଦୃଷ୍ଟି ଥିଲା।

“ବାଉଜୀ ବିଶ୍ୱାସ କରୁଥିଲେ ଯେ, ଶିଳ୍ପର ବିକାଶ ସହ ସ୍ଥାନୀୟ ସମୁଦାୟର ବିକାଶ ମଧ୍ୟ ଜରୁରୀ। ତାଙ୍କ ଚିନ୍ତାଧାରା ଓ ମୂଲ୍ୟବୋଧକୁ ଆମେ, ଆମ କାର୍ଯ୍ୟ ମାଧ୍ୟମରେ ଆଗେଇ ନେବାକୁ ପ୍ରତିବଦ୍ଧ”।

କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ ଅନୁଗୋଳର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଲୋକେସନ୍‌ ହେଡ୍‌ ଶ୍ରୀ ପି.କେ. ବିଜୁ ନାୟାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ସ୍ବତନ୍ତ୍ର ପ୍ରକଳ୍ପ ) ଶ୍ରୀ ହୃଦେଶ୍ଵର ଝା, ଯୋଗଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀଙ୍କ ସମେତ ବହୁ ଗଣମାନ୍ୟ ବ୍ୟକ୍ତି ଓ ସମୁଦାୟର ପ୍ରତିନିଧି ଉପସ୍ଥିତ ଥିଲେ। ସମସ୍ତେ ବାଉଜୀଙ୍କ ମୂଲ୍ୟବୋଧକୁ ଆଗେଇ ନେବା ସହ ରାଷ୍ଟ୍ର ନିର୍ମାଣର ତାଙ୍କ ଦୃଷ୍ଟିକୋଣକୁ ସାକାର କରିବା ପାଇଁ ସଂକଳ୍ପ ନେଇଥିଲେ।

ଏହି ଅବସରରେ ଓ.ପି. ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୬ର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ୧୨ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଉଦଘାଟନି ମ୍ୟାଚରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ତଥା ଆଇ ଏଫ୍ ଏସ ଧିକାରୀ ଡ. ସଞ୍ଜୟ ସ୍ୱାଇଁ, ଅନୁଗୋଳ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ ସେଠଙ୍କ ଉପସ୍ଥିତ ରହି ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲର ଉପ-ସଭାପତି (ଏଚଆର୍ ଆଣ୍ଡ ଇଏସ) ଶ୍ରୀ କ୍ଷୀରୋଦ କୁମାର ବାରିକ, ଜିଏମ୍‌-ସିଏସ୍‌ଆର୍‌ ଶ୍ରୀ ଜୟନ୍ତ ମହାନ୍ତିଙ୍କ ସମେତ ଅନ୍ୟ ଅଧିକାରୀ ଓ ଅତିଥି ଉପସ୍ଥିତ ଥିଲେ। ଫାଇନାଲ ମ୍ୟାଚ୍‌ ଅଗଷ୍ଟ ୧୮ରେ ଖେଳାଯିବ।

ଜନ୍ମ ବାର୍ଷିକୀ ଅବସରରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ବୃଦ୍ଧାଶ୍ରମ, ନିରାଶ୍ରୟ ମହିଳାଶ୍ରମ ଏବଂ ଦୃଷ୍ଟିବାଧିତଙ୍କ ପାଇଁ କାର୍ଯ୍ୟରତ ସଂସ୍ଥାକୁ ଶୁଖିଲା ରାସନ ବଣ୍ଟନ କରାଯାଇଥିଲା। ଅନୁଗୋଳ ଜିଲ୍ଲାର ବିଭିନ୍ନ ଗୋଶାଳାକୁ ଗୋଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଥିଲା।

ଏହାବ୍ୟତୀତ ଓ.ପି. ଜିନ୍ଦଲ ସ୍କୁଲ, ଡିଏଭି ସାବିତ୍ରୀ ଜିନ୍ଦଲ ସ୍କୁଲ, ନବୀନ ଜିନ୍ଦଲ ସ୍କିଲ୍‌ ସେଣ୍ଟର, ଶ୍ରମବୀର ପ୍ୟାଲେସ୍‌ ସମେତ ବିଭିନ୍ନ ସ୍ଥାନରେ ମଧ୍ୟ ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଶ୍ରୀ ଓ.ପି. ଜିନ୍ଦଲଙ୍କ ଜୀବନ, ଆଦର୍ଶ ଓ ସମାଜ ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *