ଜିଲ୍ଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ସରକାରୀ ପ୍ରକଳ୍ପ ପାଇଁ ତୁରନ୍ତ ଜମି ଚିହ୍ନଟ ନିର୍ଦ୍ଦେଶ
ଭୁବନେଶ୍ୱର, ୧୩।୧୧ (ନି.ପ୍ର): ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ସମସ୍ତ ଜିଲ୍ଲାପାଳଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିବାବେଳେ ଜିଲ୍ଲାପାଳମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇଥିଲେ।
ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଯଥା- ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଅବକାରୀ ଥାନା, ୫ଟି ସ୍ଥାନରେ ବିପର୍ଯ୍ୟୟ ପରିଚାଳନା ଆଞ୍ଚଳିକ କେନ୍ଦ୍ର, ଟସର ସିଲ୍କ ପାର୍କ ଏବଂ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ନିର୍ମାଣ ନିମନ୍ତେ ତୁରନ୍ତ ସରକାରୀ ଜମି ଚିହ୍ନଟ ଓ ହସ୍ତାନ୍ତର କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା, ପ୍ରତି ୩ ମାସରେ ନାର୍କୋ ସମନ୍ୱୟ ବୈଠକ କରିବା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଟିବି ମୁକ୍ତ ଭାରତ ଅଭିଯାନ, ଫାର୍ମର ରେଜିଷ୍ଟ୍ରି ଏବଂ ସୁଭଦ୍ରା ଶକ୍ତି କେନ୍ଦ୍ରଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।

