Spread the love

ଢେଙ୍କାନାଳରେ ବିଜେପିର ବିଶାଳ ‘ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ପଦଯାତ୍ରା; ବିରୋଧୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ‘ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ନାରା ନେଇ ଏକ ବିଶାଳ ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଗତ ଗୁରୁବାର (ନଭେମ୍ବର ୧୨) ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କଂଗ୍ରେସ ଓ ବିରୋଧୀ ‘ଇଣ୍ଡି’ ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି।

ବିରୋଧୀଙ୍କ ଦୋମୁହାଁ ନୀତିକୁ ସମାଲୋଚନା: ପଦଯାତ୍ରା ପରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ କ୍ରମାଗତ ନିର୍ବାଚନୀ ପରାଜୟ ଯୋଗୁଁ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ହତାଶ ହୋଇପଡ଼ିଛନ୍ତି। ସେମାନେ ସଂସଦକୁ ଅଚଳ କରିବା ସହ ଗଣତନ୍ତ୍ର ବିରୋଧରେ ମିଥ୍ୟା ଅପପ୍ରଚାର ଚଳାଇଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ, “ଯେଉଁଠାରେ କଂଗ୍ରେସ ଜିତୁଛି, ସେଠାରେ ତାହାକୁ ଜନମତ ଭାବେ ଗ୍ରହଣ କରାଯାଉଛି; କିନ୍ତୁ ଯେଉଁଠାରେ ବିଜେପି ଜିତୁଛି, ସେଠାରେ ‘ଭୋଟ୍ ଚୋରି’ ହୋଇଥିବା ଅଭିଯୋଗ ଆଣୁଛନ୍ତି। ‘ଅଙ୍ଗୁର କୋଳି ନ ପାଇଲେ ଖଟା’ ନୀତି ଭଳି ବିରୋଧୀମାନେ ନିର୍ବାଚନ କମିଶନ ଓ ଜନମତକୁ ଅପମାନିତ କରୁଛନ୍ତି।” ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟାକୁ ବିରୋଧ କରି ସେମାନେ ସାଧାରଣ ଲୋକଙ୍କ ଅଧିକାର ପାଇଁ ନୁହେଁ, ବରଂ ବେଆଇନ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଭାରତୀୟ ଗଣତନ୍ତ୍ରର ଶକ୍ତି ଓ ଢେଙ୍କାନାଳର ବୀରତ୍ୱକୁ ସ୍ମରଣ: ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ରର ମହାନତା ସମ୍ପର୍କରେ ଆଲୋକପାତ କରି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଗଣତନ୍ତ୍ରର ପ୍ରକୃତ ଶକ୍ତି ଯୋଗୁଁ ଆଜି ଓଡ଼ିଶାର ଏକ ଗରିବ ଆଦିବାସୀ ପରିବାରର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଏବଂ ଜଣେ ସାଧାରଣ ଚା’ ବିକାଳିଙ୍କ ପୁଅ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଦୀର୍ଘ ଶାସନ କାଳରେ ଦେଶକୁ କେବଳ ନିଜ ପରିବାରର ସମ୍ପତ୍ତି ଭାବୁଥିବା ନେତାମାନେ ଗରିବ ଓ ଆଦିବାସୀଙ୍କ ନେତୃତ୍ୱକୁ ସହ୍ୟ କରିପାରୁନାହାନ୍ତି।

ଏହି ଅବସରରେ ସେ ଢେଙ୍କାନାଳ ମାଟିର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ ସମେତ ପ୍ରଜାମଣ୍ଡଳ ଆନ୍ଦୋଳନର ବୀର କ୍ରାନ୍ତିକାରୀ ସାରଙ୍ଗଧର ଦାସ, ବୀର ବୈଷ୍ଣବ ଚରଣ ପଟ୍ଟନାୟକ ଏବଂ ମହେଶ ଚନ୍ଦ୍ର ସୁବାହୁ ସିଂହଙ୍କ ଅତୁଳନୀୟ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥିଲେ। ଏହି ଅଭିଯାନ କେବଳ ଏକ ଦଳୀୟ କାର୍ଯ୍ୟକ୍ରମ ନୁହେଁ, ବରଂ ଗଣତନ୍ତ୍ରର ସୁରକ୍ଷା, ଓଡ଼ିଶାର ଅସ୍ମିତା ରକ୍ଷା ଏବଂ ରାଜନୈତିକ ଅରାଜକତା ବିରୋଧରେ ଏକ ଜନଆନ୍ଦୋଳନ ବୋଲି ସେ କହିଛନ୍ତି।

ବିପୁଳ ଜନସମାଗମ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ବିଜେପି ନେତା, ପଦାଧିକାରୀ ଏବଂ ହଜାର ହଜାର ଦଳୀୟ କର୍ମୀ ଓ ସମର୍ଥକ ଏହି ବିଶାଳ ପଦଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିଥିଲେ।

Leave a Reply

Your email address will not be published. Required fields are marked *