Spread the love

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣା ଶିଶୁ ହୃଦରୋଗ ପରୀକ୍ଷା ଶିବିର ଅନୁଷ୍ଠିତ: ୧୧୫ ପିଲାଙ୍କ ପରୀକ୍ଷା, ଗୁରୁତରଙ୍କୁ ମିଳିବ ମାଗଣା ଅସ୍ତ୍ରୋପଚାର

ଅନୁଗୋଳ, ୩୧.୦୮: ଜାତୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ) ଏବଂ ବାଙ୍ଗାଲୋର ସ୍ଥିତ ନାରାୟଣ ହୃଦୟାଳୟର ମିଳିତ ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଏକ ଶିଶୁ, କିଶୋର ଓ କିଶୋରୀଙ୍କ ହୃଦରୋଗ ପରୀକ୍ଷା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୧୫ ଜଣ ପିଲାଙ୍କ ହୃଦରୋଗ ପରୀକ୍ଷା କରାଯାଇଥିଲା। ଜନ୍ମରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଜିଲ୍ଲାରେ ଏହି ଶିବିର ଦ୍ୱିତୀୟ ଥର ପାଇଁ ଆୟୋଜନ କରାଯାଇଥିଲା। ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟରୁ ଚିହ୍ନଟ ହୋଇଥିବା ପିଲାମାନଙ୍କୁ ଏଠାରେ ପରୀକ୍ଷା କରାଯାଇଛି। ପରୀକ୍ଷା ପରେ ଗୁରୁତର ଚିହ୍ନଟ ହୋଇଥିବା ପିଲାମାନଙ୍କର ହୃଦରୋଗ ଅସ୍ତ୍ରୋପଚାର ବାଙ୍ଗାଲୋର ସ୍ଥିତ ନାରାୟଣ ହୃଦୟାଳୟରେ ସମ୍ପୂର୍ଣ୍ଣ ମାଗଣାରେ କରାଯିବ। ସରକାର ଏଥିପାଇଁ ସମସ୍ତ ସୁବିଧା ଯୋଗାଇ ଦେବା ସହ ରୋଗୀଙ୍କ ଯାତାୟାତ ଖର୍ଚ୍ଚ ମଧ୍ୟ ବହନ କରିବେ। ଶିବିରରେ ବାଙ୍ଗାଲୋର ନାରାୟଣ ହୃଦୟାଳୟରୁ ଆସିଥିବା ବିଶିଷ୍ଟ ଶିଶୁ ହୃଦରୋଗ ବିଶେଷଜ୍ଞ ଡ. ଅତୁଲ ସୁରେନ୍ଦ୍ର ପ୍ରଭୁ ଯୋଗଦେଇ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ମଦନ ମୋହନ ପ୍ରଧାନ ଏହି ଶିବିରକୁ ଉଦ୍‌ଘାଟନ କରିବା ସହ ଏହାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ। ଡିଏମ୍‌ଓ(ଏମ୍ଏସ୍) ଡ. ଦିଲ୍ଲୀପ ପଟ୍ଟନାୟକ କହିଥିଲେ ଯେ, ବର୍ତ୍ତମାନ ସମୟରେ ଅନେକ ପିଲା ଜନ୍ମଗତ ହୃଦରୋଗରେ ପୀଡ଼ିତ ହେଉଛନ୍ତି। ଏହାର ଚିକିତ୍ସା ଅତ୍ୟନ୍ତ ଖର୍ଚ୍ଚବହୁଳ ହୋଇଥିବାରୁ ସରକାରଙ୍କ ଏହି ପଦକ୍ଷେପ ଗରିବ ଶ୍ରେଣୀର ରୋଗୀଙ୍କ ପାଇଁ ବେଶ୍ ସହାୟକ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. କୃଷ୍ଣ ଚନ୍ଦ୍ର ପାଲ, ଡିପିଏମ୍ ସୌମ୍ୟାରାଣୀ ଗୌଡ଼, ଆରବିଏସ୍‌କେ ମ୍ୟାନେଜର ଶ୍ରୀ ଦୀପ୍ତିରଞ୍ଜନ ଦାସ, ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳିକା ସବିତା କୁମାରୀ ପଣ୍ଡା, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପୁଷ୍ପଲତା ପ୍ରଧାନ ଏବଂ ଶିଶୁରୋଗ ବିଶେଷଜ୍ଞ ଡ. ଶିବ ଶଙ୍କର ବରିହାଙ୍କ ସମେତ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ, ହସ୍ପିଟାଲ ପରିଚାଳକ ଏବଂ ଏନଆରସିର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *