Spread the love

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ବାହକଜନିତ ରୋଗ ନିୟନ୍ତ୍ରଣ ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ


ମେରାମଣ୍ଡଳୀ, ୦୮/୦୩/୨୦୨୬- ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହଯୋଗରେ ମେରାମଣ୍ଡଳୀସ୍ଥିତ ଶିବ ଇମ୍ପିରିଆଲଠାରେ ବାହକଜନିତ ରୋଗ (ଭେକ୍ଟର ବର୍ଣ୍ଣ ଡିଜିଜ) ନିୟନ୍ତ୍ରଣ ପାଇଁ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଅନୁଗୋଳ ସିଡିଏମ୍‌‌ଓ ଡା. ମଦନ ମୋହନ ପ୍ରଧାନ, ଢେଙ୍କାନାଳ ଏଡିପିଏଚ୍‌‌ଓ ଡା. ହିମାଂଶୁ ଶେଖର ହେମ୍ବ୍ରମ, ଅନୁଗୋଳ ଏଡିପିଏଚ୍‌‌ଓ ଡା. ପୂର୍ଣ୍ଣିମା ଉଦଗାତା, ଢେଙ୍କାନାଳ ଜିଲ୍ଲା ଭିବିଡି କନ୍‌‌ସଲ୍‌‌ଟାଣ୍ଟ କବିର ସ୍ୱାଇଁ, ଅଞ୍ଚଳୀୟ କୀଟତତ୍ତ୍ୱ ବିଶେଷଜ୍ଞ ପ୍ରେମାଞ୍ଜନ ପଣ୍ଡା ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌‌ର ପବ୍ଲିକ୍ ହେଲ୍‌‌ଥ ଲିଡ୍ ନିଳିମା ତିର୍କୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ଟିଏସ୍‌ଏଫ୍‌ର ପବ୍ଲିକ୍ ହେଲ୍‌‌ଥ ଟିମ୍ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ।


କାର୍ଯ୍ୟକ୍ରମରେ ଓଡ଼ିଶାରୁ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଡାକ୍ତର ମଦନ ମୋହନ ପ୍ରଧାନଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ‘ଦମନ’ (ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ) କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଭାବେ ପରିଚିତ ଡାକ୍ତର ପ୍ରଧାନ, ଭାରତର ଅନ୍ୟତମ ସଫଳ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମର ପରିକଳ୍ପନା ଓ କାର୍ଯ୍ୟକାରିତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହାଫଳରେ ଓଡ଼ିଶାରେ, ବିଶେଷକରି ଦୁର୍ଗମ ଆଦିବାସୀ ଅଞ୍ଚଳରେ, ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା କମିବା ସହ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିଲା।
ବୈଠକରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବର୍ତ୍ତମାନର ଜୀବାଣୁବାହକ ରୋଗ ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯିବା ସହ ଏହାର ମୁକାବିଲା ଲାଗି ପ୍ରସ୍ତୁତି, ସର୍ଭେଲାନ୍ସ, ପ୍ରତିରୋଧ ଏବଂ ଜନସାଧାରଣଙ୍କ ଭାଗିଦାରୀ ବୃଦ୍ଧି କରିବା ପାଇଁ ଆଲୋଚନା କରାଯାଇଥିଲା।
ମ୍ୟାଲେରିଆ, ଡେଙ୍ଗୁ, ଚିକନ୍‌‌ଗୁନିଆ ଭଳି ମଶାବାହକ ରୋଗର ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ, ସ୍ଥାନୀୟ ପ୍ରଶାସନ, ସହଯୋଗୀ ସଂସ୍ଥା ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଠିକ୍ ସମୟରେ ସର୍ବେକ୍ଷଣ, ଶୀଘ୍ର ରୋଗ ଚିହ୍ନଟ ଓ ଚିକିତ୍ସା, ପରିବେଶ ପରିଷ୍କାର-ପରିଚ୍ଛନ୍ନତା, ମଶା ବଂଶବୃଦ୍ଧି ରୋକିବା ଏବଂ ନିରନ୍ତର ସଚେତନତା ସୃଷ୍ଟି କରିବା ଉପରେ ବିଶେଷ ଆଲୋଚନା ହୋଇଥିଲା।
ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ମିଳିତ ଭାବେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଏକ ସୁସ୍ଥ ଓ ନିରାପଦ ପରିବେଶ ଗଢ଼ିତୋଳିବା ପାଇଁ ସଙ୍କଳ୍ପବଦ୍ଧ।

Leave a Reply

Your email address will not be published. Required fields are marked *