*ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର “ପ୍ରୋଜେକ୍ଟ ଦୃଷ୍ଟି’ ସହାୟତାରେ ଦୃଷ୍ଟିଶକ୍ତି ଫେରିପାଇଲେ ପ୍ରମୋଦ*
ଢେଙ୍କାନାଳ, ୩୦.୧୦.୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ର “ପ୍ରୋଜେକ୍ଟ ଦୃଷ୍ଟି’ ସହଯୋଗରେ ପୁଣିଥରେ ଦୁନିଆ ଦେଖିପାରିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ସଞ୍ଜପଡ଼ା ପଞ୍ଚାୟତର ବାସୁବାହାଲା ଗ୍ରାମର ପ୍ରମୋଦ ବେହେରା। ନିଶୁଳ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ସେ ପୁଣିଥରେ ଦୃଷ୍ଟିଶକ୍ତି ଫେରିପାଇଛନ୍ତି। ପ୍ରମୋଦ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ଦୁଇଟିଯାକ ଆଖିରେ ମୋତିଆବିନ୍ଦୁ ହେବା ଯୋଗୁ ସେ ଦୃଷ୍ଟିଶକ୍ତି ହରାଇଥିଲେ, ଫଳରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ପ୍ରମୋଦଙ୍କ ରୋଜଗାର ଠପ୍ ହୋଇଯାଇଥିଲା।
ସରକାରଙ୍କ “ଆୟୁଷ୍ମାନ ଯୋଜନା’ ମାଧ୍ୟମରେ ମାଗଣା ଚିକିତ୍ସାର ସୁବିଧା ସମ୍ପର୍କରେ ମଧ୍ୟ ସେ ଅବଗତ ନଥିଲେ। ଗ୍ରାମରେ ଚକ୍ଷୁ ସ୍କ୍ରିନିଂ ସମୟରେ ଟିଏସ୍ଏଫ୍ ର “ପ୍ରୋଜେକ୍ଟ ଦୃଷ୍ଟି’ ଟିମ୍ ପ୍ରମୋଦଙ୍କ ସମସ୍ୟା ଚିହ୍ନଟ କରିଥିଲେ। ପରେ ସ୍ୱାସ୍ଥ୍ୟ ପରାମର୍ଶ, କାଉନସେଲିଂ କରାଯିବା ସହ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାରେ ପ୍ରୋଜେକ୍ଟ ଦୃଷ୍ଟି ଟିମ୍ ସଦସ୍ୟ ସହଯୋଗ କରିଥିଲେ। ଅସ୍ତ୍ରୋପଚାର ପରେ ତାଙ୍କ ଆଖିରେ ଆର୍ଟିଫିସିଆଲ୍ ଇଣ୍ଟ୍ରାଓକୁଲାର ଲେନ୍ସ ଲଗାଯାଇଥିଲା, ଯାହା ଫଳରେ ସେ ଦୃଷ୍ଟିଶକ୍ତି ଫେରିପାଇଛନ୍ତି।

ଏ ସମ୍ପର୍କରେ ପ୍ରମୋଦ କହିଛନ୍ତି, “ମୁଁ ଆଉ କେବେ ଦେଖିପାରିବି ବୋଲି ଭାବି ନଥିଲି। ବିନା ଖର୍ଚ୍ଚରେ ଏଭଳି ଚିକିତ୍ସା ସମ୍ଭବ ବୋଲି ଆମକୁ ଜଣାନଥିଲା। ଟାଟା ଷ୍ଟିଲ ଫାଉଣ୍ଡେସନର ‘ପ୍ରୋଜେକ୍ଟ ଦୃଷ୍ଟି’ ସହଯୋଗ ପାଇଁ ମୁଁ ଆଜି ପୁଣି ଥରେ ଦୁନିଆକୁ ଦେଖିପାରୁଛି।’
ସୂଚନାଯୋଗ୍ୟ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର “ପ୍ରୋଜେକ୍ଟ ଦୃଷ୍ଟି’ ଅଧୀନରେ ଗ୍ରାମାଞ୍ଚଳରେ ସଚେତନତା, ମାଗଣା ଚକ୍ଷୁ ପରୀକ୍ଷା, ଚିକିତ୍ସା ଓ ଅସ୍ତ୍ରୋପଚାର ସେବା ଯୋଗାଇ ଦିଆଯାଉଛି। ୨୦୨୩ରୁ କାର୍ଯ୍ୟକାରୀ ହୋଇଥିବା ଏହି ପ୍ରୋଜେକ୍ଟ ମାଧ୍ୟମରେ ଟାଟା ଷ୍ଟିଲ ପ୍ଲାଣ୍ଟ ଆଖପାଖ ଆଞ୍ଚଳର୧୨୦୦ରୁ ଅଧିକ ମୋତିଆବିନ୍ଦୁ ରୋଗୀଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଛି।
