ଡ୍ରେନ୍ରେ ଫସିଥିଲେ ୪ ବାରହା, ତତ୍ପରତା ଦେଖାଇ ସୁରକ୍ଷିତ ଉଦ୍ଧାର କଲା ଅନୁଗୋଳ ବନ ବିଭାଗ
ତାଳଚେର: ଡ୍ରେନ୍ ଭିତରେ ଫସି ରହିଥିବା ଚାରିଟି ବାରହାଙ୍କୁ ସଫଳତାର ସହ ଉଦ୍ଧାର କରିଛି ଅନୁଗୋଳ ବନଖଣ୍ଡ। ତାଳଚେର ରେଞ୍ଜ ଅନ୍ତର୍ଗତ ଏକଘରିଆ ଗ୍ରାମସ୍ଥିତ ବିନ୍ଦଲ କମ୍ପାନୀର ଏକ ଡ୍ରେନ୍ରେ ବାରହାଗୁଡ଼ିକ ଫସି ରହିଥିବା ଖବର ପାଇବା ପରେ ବନ ବିଭାଗର ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲା।

ସୂଚନା ଅନୁଯାୟୀ, ଡିଭିଜନ୍ କଣ୍ଟ୍ରୋଲ ରୁମ୍କୁ ଏନେଇ ଖବର ମିଳିବା ପରେ ତାଳଚେର ଟାଉନ୍ ସେକ୍ସନ୍ର ବନ କର୍ମଚାରୀଙ୍କ ସହ ଅନୁଗୋଳର ରାପିଡ୍ ରେସ୍ପନ୍ସ ଟିମ୍ (RRT) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୋଜନାବଦ୍ଧ ଭାବେ ଏବଂ ଅତ୍ୟନ୍ତ ସତର୍କତାର ସହ ଉଦ୍ଧାର ଅଭିଯାନ ଚଳାଇ ଡ୍ରେନ୍ରେ ଫସିଥିବା ସମସ୍ତ ଚାରିଟି ବାରହାଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।
ଉଦ୍ଧାର ପରେ ଚାରିଟି ଯାକ ବାରହା ନିଜ ଉଦ୍ୟମରେ ନିକଟସ୍ଥ ପ୍ରାକୃତିକ ଆବାସସ୍ଥଳୀକୁ ଫେରିଯାଇଥିଲେ। ଏହି ଘଟଣାରେ କୌଣସି ବନ୍ୟଜନ୍ତୁଙ୍କୁ ଅନାବଶ୍ୟକ କ୍ଷତି ନପହଞ୍ଚାଇ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ବନ ବିଭାଗ ସଫଳ ହୋଇଛି।
ବନ୍ୟଜନ୍ତୁଙ୍କ ଜୀବନ ରକ୍ଷା ସହ ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସହାବସ୍ଥାନ ବଜାୟ ରଖିବା ଦିଗରେ ଅନୁଗୋଳ ବନଖଣ୍ଡର ଏହି ତ୍ୱରିତ ପଦକ୍ଷେପ ପ୍ରଶଂସନୀୟ। ବିପଦରେ ପଡ଼ିଥିବା ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗର ସଜାଗତା ଓ ସମନ୍ୱିତ କାର୍ଯ୍ୟଧାରା ଏହି ଉଦ୍ଧାର ଅଭିଯାନରେ ପ୍ରତିଫଳିତ ହୋଇଛି।

