Spread the love

ଢେଙ୍କାନାଳ ମହାବୀର ବଜାରରେ ଖୁଦୁରୁକୁଣୀ ଓଷା ପାଳିତ

ଢେଙ୍କାନାଳ ମହାବୀର ବଜାରରେ ଧୁମ୍‌ଧାମରେ ପାଳିତ ହୋଇଛି ପବିତ୍ର ଖୁଦୁରୁକୁଣୀ ଓଷା। ପ୍ରଥମ ରବିବାର ଅବସରରେ ଝିଅ ଓ ବୋହୂମାନେ ନିଷ୍ଠାର ସହ ମା’ ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରିଛନ୍ତି।

ଢେଙ୍କାନାଳ ମହାବୀର ବଜାରରେ ଦୀର୍ଘ ୧୫ ବର୍ଷ ଧରି ପାଳିତ ହୋଇଆସୁଛି ଖୁଦୁରୁକୁଣୀ ଓଷା। ଭାଦ୍ରବ ମାସର ପ୍ରଥମ ରବିବାର ଅବସରରେ ଏଠାରେ ଆୟୋଜିତ ହୋଇଛି ଖୁଦୁରୁକୁଣୀ ଓଷା ପୂଜା। ଏହି ବର୍ଷ ମୋଟ ୪ ପାଳିରେ ଓଷା ପାଳନ କରାଯିବ।

ରାତି ପାହିବା ପୂର୍ବରୁ ଝିଅମାନେ ଫୁଲ ତୋଳି ମାଳ ଗୁନ୍ଥିଥିଲେ। ପରେ ବାଲୁକା ପୂଜା ଓ କଳସ ପୂଜା କରି ମା’ ମଙ୍ଗଳାଙ୍କୁ ସ୍ଥାପନ କରାଯାଇଥିଲା। ଚନ୍ଦନ, ସିନ୍ଦୂର, ପଞ୍ଚାମୃତ ଓ ଫୁଲମାଳରେ ମା’ଙ୍କୁ ସୁସଜ୍ଜିତ କରାଯାଇଥିଲା।

ଦୀପ, ଧୂପ ଓ ଝୁଣାରେ ମା’ଙ୍କୁ ବନ୍ଦାପନା କରିବା ସହ ଉଖୁଡ଼ା ଓ ବିଭିନ୍ନ ପ୍ରକାରର ଫଳ ଭୋଗ ଅର୍ପଣ କରିଥିଲେ ବ୍ରତଧାରୀମାନେ। ଏହାପରେ ଖୁଦୁରୁକୁଣୀ ଓଷା ବହି ପଠନ କରାଯାଇଥିଲା। ପରମ୍ପରା ଓ ଭକ୍ତିର ଏହି ପବିତ୍ର ପର୍ବକୁ ଝିଅ ଓ ବୋହୂମାନେ ନିଷ୍ଠାର ସହ ପାଳନ କରିଛନ୍ତି।

ଖୁଦୁରୁକୁଣୀ ଓଷା କେବଳ ଏକ ପୂଜା ନୁହେଁ, ଏହା ଓଡ଼ିଆ ପରମ୍ପରା ଓ ନାରୀମାନଙ୍କ ଭକ୍ତି ସହ ଜଡ଼ିତ ଏକ ପାରମ୍ପରିକ ପର୍ବ। ମହାବୀର ବଜାରରେ ୧୫ ବର୍ଷ ଧରି ଏହି ପରମ୍ପରା ଜାରି ରହିଥିବା ବେଳେ, ଚଳିତ ବର୍ଷ ମଧ୍ୟ ଭକ୍ତିମୟ ପରିବେଶରେ ଏହା ପାଳିତ ହେଉଛି।

Leave a Reply

Your email address will not be published. Required fields are marked *