Spread the love

ଦାରିଙ୍ଗବାଡି ବ୍ଲକରେ ମିଳିତ ଅଭିଯୋଗ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ:ଅନେକ ନିରାଶ ହୋଇ ଫେରିଲେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲ୍ଲାପାଳ ଅନୁପସ୍ଥିତ ଥ‌ିବା ବେଳେ ଅଭିଯୋଗ ଶୁଣାଣିରେ ଏସପି ଶୁଭେନ୍ଦୁ ପାତ୍ର, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ରଣଜିତ, ପିଏ ଆଇଟିଡିଏ ମଧୁସୂଦନ ବେହେରା, ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଡକ୍ଟର ଅଶୋକ ଦାସ, ବ୍ଲକ୍ ଅଧକ୍ଷ ସୁଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ।ଏହି ଅଭିଯୋଗ ଶୁଣାଣିରେ ମୋଟ ୫୦ ଗୋଟି ଅଭିଯୋଗ ହୋଇଥିବା ବେଳେ ବ୍ୟକ୍ତିଗତ ଭାବେ ୨୩ ଗୋଟି ଓ ସାମୁହିକ ଭାବେ ୨୭ ଗୋଟି ଅଭିଯୋଗ ହୋଇଥିଲା । ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଡୁବୁରି, ନିଲାତ୍କିୟୁ, ବାହାନାହ ଗ୍ରାମରେ ବିଦ୍ୟୁତ୍ ସଂଯୋଗ ନିମନ୍ତେ ସରପଞ୍ଚ ଚୁମୁକି ପ୍ରଧାନ ଅଭିଯୋଗ କରିଥିଲେ। ସେହିପରି ଗଦାପୁର ପଞ୍ଚାୟତର ଗାନ୍ଦାରଗୁଡ଼ି ଗ୍ରାମରେ ବିଦ୍ୟୁତ୍ ସଂଯୋଗ ପାଇଁ ସରପଞ୍ଚ କୁମାରୀ ପ୍ରଧାନ ଅଭିଯୋଗ କରିଥିଲେ । ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ବ୍ରାହାଶାଲକା ଗ୍ରାମରେ କଲ୍ୟାଣୀ ମଣ୍ଡପ, ନେଟୱର୍କ ସ୍ଥାପନ, ସିଆଙ୍ଗବାଲି ଗ୍ରାମ ଠାରୁ କିଲାବାଡ଼ି ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବା ପାଇଁ ସରପଞ୍ଚ ଆନ୍ଦ୍ରିକ ପ୍ରଧାନ ଅଭିଯୋଗ କରିଥିଲେ। ଇକୋ ରିଟ୍ରିଟ ସ୍ଥାନରେ ପଲିଥିନ ଖାଇ ଗାଈ, ଛେଳିର ମୃତ୍ୟୁ ହୋଇଥିଲେ ସୁଧା ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ସହାୟତା ମିଳିନଥିବା କ୍ଷତିଗ୍ରସ୍ତ ଅଭିଯୋଗ କରିଥିଲେ। ଆଉ କିଛି ଅଭିଯୋଗ ରହିଥ‌ିବା ବେଳେ ବିଭାଗୀୟ ଅଧିକାରୀ ମାନେ ଅଭିଯୋଗ କରିବାକୁ ଆସିଥିବା ଅଭିଯୋଗ କାରୀଙ୍କୁ ପ୍ରବର୍ତ୍ତାଇ ଅଭିଯୋଗ ନଦେବାକୁ କହି ଫେରାଇ ଦେଇଥ‌ିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *