Spread the love

“ଧାନକଟା ମେସିନରେ ଚାଲିଥିଲା ନିଶା କାରବାର! ବିପୁଳ ପରିମାଣର କୋରେକ୍ସ କଫ୍ ସିରପ୍ ସହ ହାର୍ଭେଷ୍ଟର ଜବତ,୨ ଗିରଫ”


ବରଗଡ:୦୩/୦୬/୨୦୨୬(ପବିତ୍ର ମେହେର) ଅଞ୍ଚଳରେ ଦିନକୁ ଦିନ କୋରେକ୍ସ କଫ୍ ସିରପ୍‌ର ବେଆଇନ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବାରେ ଅବକାରୀ ବିଭାଗ ଓ ପୋଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ବରଗଡ଼ ଜିଲ୍ଲା ଅତାବିରା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅତାବିରା ଥାନା (IIC) ପ୍ରକାଶ କର୍ଣ୍ଣଙ୍କ ନେତୃତ୍ୱରେ ପୋଲିସ କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ନିଶା ମାଫିଆଙ୍କ ଆଡ୍ଡା ଉପରେ ଚଢ଼ାଉ ଜାରି ରଖିଥିବାରୁ ଏବେ ଅଞ୍ଚଳର ନିଶା ବ୍ୟବସାୟୀଙ୍କ ମଧ୍ୟରେ କାଳ ପଶିଯାଇଛି।
ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବରଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅତାବିରା ଆଇଆଇସି ପ୍ରକାଶ କର୍ଣ୍ଣଙ୍କ ଦ୍ୱାରା ଗଠିତ ଏକ ସ୍ପେଶାଲ ଟିମ୍ ପତ୍ରାପାଲି ଶିବ ମନ୍ଦିର ନିକଟରେ ଅତର୍କିତ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଏକ କୁବୋଟା ହାର୍ଭେଷ୍ଟର (ଧାନକଟା ଯନ୍ତ୍ର) ସହ ଏକ ସନ୍ଦିଗ୍ଧ ଗାଡ଼ିକୁ ଅଟକ ରଖାଯାଇଥିଲା। ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡ଼ିର ଯାଞ୍ଚ କରାଯିବାରୁ ସେଥିରୁ ୧୨ଟି କାର୍ଟୁନରେ ଥିବା ସମୁଦାୟ ୧୪୪୦ ବୋତଲ ନିଷିଦ୍ଧ ‘ୱିନସେରେକ୍ସ’ କୋଡିନ ଯୁକ୍ତ କଫ୍ ସିରପ୍ ଜବତ କରାଯାଇଛି। ଏହାସହ ନିଶା ଚାଲାଣରେ ବ୍ୟବହୃତ ହେଉଥିବା ଲକ୍ଷାଧିକ ଟଙ୍କାର ଧାନକଟା ହାର୍ଭେଷ୍ଟର ମେସିନକୁ ମଧ୍ୟ ପୋଲିସ ଜବତ କରିଛି।
ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅତାବିରା ଥାନା ଅନ୍ତର୍ଗତ ଗୁର୍ଖାପାଲି ଦେହେରୀପଡ଼ାର ଜିତେନ୍ଦ୍ର ମେଣ୍ଡେଲୀ (୨୪), ପିତା- କାଶୀନାଥ ମେଣ୍ଡେଲୀ ଏବଂ ଭେଡେନ ଥାନା କୁତପାଲି ଗ୍ରାମର ନିରଞ୍ଜନ ତ୍ରିପାଠୀ (୩୪), ପିତା- ରାମଚନ୍ଦ୍ର ତ୍ରିପାଠୀ। ଏହି ମାମଲାରେ ଅତାବିରା ଥାନା କେସ୍ ନଂ- ୨୧୧, ତା ୦୨.୦୬.୨୬, ୟୁ/ଏସ୍ ୨୧(b)/୨୯ NDPS ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଅଞ୍ଚଳରେ ରବି ଧାନ ଫସଲ ଅମଳ ସମୟ ଚାଲିଥିବାରୁ ଚାରିଆଡ଼େ ଧାନକଟା ମେସିନ ବା ହାର୍ଭେଷ୍ଟର ବୁଲୁଛି। ଏହାର ସୁଯୋଗ ନେଇ ନିଶା ମାଫିଆମାନେ ପୋଲିସ ଆଖିରେ ଧୂଳି ଦେବା ପାଇଁ ହାର୍ଭେଷ୍ଟର ମେସିନ ସାହାଯ୍ୟରେ ନିଶାଦ୍ରବ୍ୟ ଚାଲାଣ କରୁଥିଲେ। ଏହାକୁ ସେମାନେ ସବୁଠାରୁ ସହଜ ଏବଂ ନିରାପଦ ଉପାୟ ବୋଲି ଭାବି ନେଇଥିଲେ। ମାତ୍ର ଅତାବିରା ପୋଲିସର ଚତୁରତା ଯୋଗୁଁ ସେମାନଙ୍କର ଏହି ଚାଲାକି ଧରାପଡ଼ିଯାଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଆଗକୁ ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡିଛି l

Leave a Reply

Your email address will not be published. Required fields are marked *