Spread the love

ନିରବଚ୍ଛନ୍ନ ଖଣି କାର୍ଯ୍ୟ ସୁନିଶ୍ଚିତ କରିବା ନେଇ ନିଷେଦ୍ଧାଦେଶ ଜାରି

ତାଳଚେର, ୨୯/୧୦ ଏମସିଏଲ କଣିହାଁ ଖଣି ଅଂଚଳରେ ବାରମ୍ବାର ଆନ୍ଦୋଳନ ଯୋଗୁଁ ଖଣିକାର୍ଯ୍ୟ ପ୍ରଭାବିତ ହେଉଥିବା ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଳାପାଳ ବିଏନଏସଏସ ୨୦୨୩ର ଧାରା ୧୬୩ ଅନୁଯାୟୀ ନିଶେଦ୍ଧାଦେଶ ଜାରି କରିଛନ୍ତି । ବାରମ୍ବାର ଧର୍ମଘଟ ଓ ରାସ୍ତା ଅବରୋଧ ଯୋଗୁଁ କୋଇଲା ଉତ୍ପାଦନ ପ୍ରଭାବିତ ହେଉଛି । ଏହା ଦ୍ୱାରା ଏନଟିପିସି ଏବଂ ଜେଆଇଟିପିଏଲକୁ କୋଇଲା ଯୋଗାଣ ବାଧାପ୍ରାପ୍ତ ହେବାସହ ନିରବଚ୍ଛନ୍ନ ବିଦ୍ୟୁତ୍ ଉତ୍ପାଦନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହି ଆଦେଶ ଅନୁଯାୟୀ ବେଆଇନ ସମାବେଶ, ଖଣିର ପ୍ରବେଶ ପ୍ରସ୍ଥାନ ଫାଟକରେ ଅବରୋଧ ସୃଷ୍ଟି, ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧାପ୍ରଦାନ ତଥା ସାଧାରଣ ଶାନ୍ତିଶୃଙ୍ଖଳା ଭଙ୍ଗ କରୁଥିବା କାର୍ଯ୍ୟକଳାପକୁ ନିସିଦ୍ଧ କରାଯାଇଛି । ଏହି ଆଦେଶର କଡ଼ାକଡ଼ି ଅନୁପାଳନ ସୁନିଶ୍ଚିତ କରିବାକୁ ପୋଲିସ୍ ଓ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନ ପକ୍ଷରୁ ସମସ୍ତ ହିତାଧିକାରୀ ଓ ସମ୍ପୃକ୍ତ ପକ୍ଷମାନଙ୍କୁ ନିଜ ନିଜର ଦାବି ଓ ସମସ୍ୟା ଗୁଡ଼ିକୁ ଆଇନ ସମତ ତଥା ଶାନ୍ତିପୂର୍ଣ୍ଣ ଉପାୟରେ ଉପସ୍ଥାପନ କରିବାସହ ନିରବଚ୍ଛନ୍ନ କୋଇଲା ଉତ୍ପାଦନ ଓ ବିଦ୍ୟୁତ୍ ଯୋଗାଣରେ ପ୍ରସାଶାନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ବୋଲି ତାଳଚେର ଉପଜିଲ୍ଳାପାଳଙ୍କ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି ।

ଶିକ୍ଷକ ଶାନ୍ତନୁ କୁମାର ସାହୁଙ୍କ ୭୭ତମ ରକ୍ତଦାନ
ତାଳଚେର, ୨୯/୧୦ ତାଳଚେରର ସର୍ବାଧିକ ରକ୍ତଦାତା ତଥା ଆଦର୍ଶ ଶିକ୍ଷକ ଶାନ୍ତନୁ କୁମାର ସାହୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାର କେନ୍ଦ୍ର ଠାରେ ନିଜର ୭୭ତମ ରକ୍ତଦାନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ତାଳଚେର ଡେପୁଟି କଲେକ୍ଟର ଧର୍ମେନ୍ଦ୍ର ଶତପଥି ଅତିଥି ଭାବେ ଯୋଗ ଦେଇ ଶାନ୍ତନୁଙ୍କୁ ୭୭ତମ ରକ୍ତଦାନ ନିମନ୍ତେ ପୁଷ୍ପଗୁଛ, ଉତ୍ତରୀୟ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ରକ୍ତଦାତା ଶାନ୍ତନୁଙ୍କୁ ଏଭଳି ମହତ କାର୍ଯ୍ୟ ନିମନ୍ତେ ସାଧୁବାଦ ଜଣାଇଥିଲେ। ତାଳଚେର ଭଳି ଖଣି ଖଦାନ ତଥା ଶିଳ୍ପ ସମୃଦ୍ଧ ଅଞ୍ଚଳରେ ଅଧିକ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୁବ ଗୋଷ୍ଠୀ ଆଗେଇ ଆସିଲେ ଆବଶ୍ଯକୀୟ ରକ୍ତ ସଂଗ୍ରହ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ୭୭ ଥର ରକ୍ତଦାନ କରିଥିବା ଶିକ୍ଷକ ଶାନ୍ତନୁ କୁମାର ସାହୁ, ଏହି ଅବସରରେ କହିଥିଲେ ଯେ, ବର୍ତମାନ ସମୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ସମସ୍ତ ସୁସ୍ଥ ବ୍ୟକ୍ତିମାନେ ନିଜ ଇଚ୍ଛା ଓ ସୁବିଧା ଅନୁସାରେ ରକ୍ତଦାନ କରିବାକୁ ଆଗେଇ ଆସିବା ଆବଶ୍ୟକ। ନିୟମିତ ରକ୍ତଦାନ ଦ୍ଵାରା ଶରୀରର କୌଣସି କ୍ଷତି ହୁଏ ନାହିଁ, ବରଂ ଏହାଦ୍ବାରା ଶାରୀରିକ ଲାଭ ଓ ମାନସିକ ଶାନ୍ତି ମିଳିଥାଏ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ। ଏହି ରକ୍ତଦାନ କାର୍ଯ୍ୟରେ ତାଳଚେର ରକ୍ତ ଭଣ୍ଡାରର ଅଧିକାରୀ ଡାକ୍ତର ବିନୟ କୁମାର ପାଢ଼ୀ ଓ କର୍ମଚାରୀ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ରେଡ଼କ୍ରସ ସୋସାଇଟିର ସକ୍ରିୟ ସଦସ୍ୟ ତଥା ସମାଜସେବୀ ବଳରାମ ପତି ଯୋଗ ଦେଇ ରକ୍ତଦାତା ଶ୍ରୀ ସାହୁଙ୍କୁ ଉତ୍ସାହିତ କରିବା ସହ ସାରା ରାଜ୍ୟରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୌଣସି ବାଛବିଚାର ନ କରି ସଭିଏଁ ଆଗେଇ ଆସିବାକୁ ଆହ୍ବାନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *