Spread the love

ନେପାଳରେ ପ୍ରକୃତିର ପ୍ରଳୟ: ବନ୍ୟାରେ ୧୫୭ ମୃତ, ୧୩୩ ଭାରତୀୟଙ୍କ ସମେତ ଶତାଧିକ ନିଖୋଜ

ନୂଆଦିଲ୍ଲୀ, ୨୭/୮: ପଡ଼ୋଶୀ ଦେଶ ନେପାଳରେ ପ୍ରକୃତିର ତାଣ୍ଡବ। ଉତ୍ତର ନେପାଳର ରସୁୱା ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରେ ହଠାତ୍ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ବ୍ୟାପକ ଧ୍ୱଂସ ଘଟାଇଛି। ତିବ୍ଦତ ପାର୍ଶ୍ୱରୁ ଭୋଟେକୋଶୀ ନଦୀରେ ଆସିଥିବା ପ୍ରବଳ ବନ୍ୟାଜଳରେ ଅନେକ ଗାଁ ଓ ନଦୀତଟବର୍ତ୍ତୀ ବସତି ଭାସିଯାଇଥିବା ଖବର ମିଳିଛି।

ବନ୍ୟାରେ ଏପର୍ଯ୍ୟନ୍ତ ୧୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟକ ଲୋକ ନିଖୋଜ ଅଛନ୍ତି। ନେପାଳ ପର୍ଯ୍ୟଟନ ବୋର୍ଡର ତଥ୍ୟ ଅନୁସାରେ ୭୫୦ରୁ ଅଧିକ ପର୍ଯ୍ୟଟକଙ୍କ ପତ୍ତା ମିଳୁନାହିଁ। ନିଖୋଜଙ୍କ ମଧ୍ୟରେ ୩୦୫ ଜଣ ବିଦେଶୀ ନାଗରିକ ଥିବାବେଳେ ସେମାନଙ୍କ ମଧ୍ୟରେ ୧୩୩ ଜଣ ଭାରତୀୟ ଥିବା ସୂଚନା ମିଳିଛି।

ନୁୱାକୋଟ ଓ ଧାଡିଙ୍ଗ ଜିଲ୍ଲାରୁ ଶତାଧିକ ମୃତଦେହ ଉଦ୍ଧାର ହୋଇଥିବା ବେଳେ ରସୁୱାରୁ ୩୦ରୁ ଅଧିକ ଶବ ମିଳିଛି। ଧ୍ୱଂସସ୍ତୂପ ଓ ପ୍ରବଳ ବନ୍ୟାଜଳ ମଧ୍ୟରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି।

ନିଖୋଜଙ୍କ ମଧ୍ୟରେ ସୁରକ୍ଷାକର୍ମୀ

ବନ୍ୟାରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ନେପାଳର ସୁରକ୍ଷାକର୍ମୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ରସୁୱା ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ ୨୬ ଜଣ ନେପାଳ ପୁଲିସ କର୍ମଚାରୀ ଓ ୭ ଜଣ ଯବାନ ନିଖୋଜ ଥିବା ଜଣାପଡ଼ିଛି। ନେପାଳ ସେନା ପକ୍ଷରୁ ହେଲିକପ୍ଟର ଓ ବିପର୍ଯ୍ୟୟ ପରିଚାଳନା ଦଳକୁ ପ୍ରଭାବିତ ପାର୍ବତ୍ୟ ଅଞ୍ଚଳରେ ମୁତୟନ କରାଯାଇଛି।

ବିଦ୍ୟୁତ୍ ବ୍ୟବସ୍ଥା ଧ୍ୱଂସ

ବନ୍ୟାରେ ନେପାଳର ଶକ୍ତି ଭିତ୍ତିଭୂମି ମଧ୍ୟ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ରସୁୱାଗାଡ଼ି, ଚିଲିମେ, ତ୍ରିଶୂଳୀ-୩ଏ, ତ୍ରିଶୂଳୀ-୩ବି ହବ୍‌, ୨୨୦ କେଭି ସବଷ୍ଟେସନ, ତ୍ରିଶୂଳୀ ଓ ଦେବୀଘାଟ ଜଳବିଦ୍ୟୁତ୍ କେନ୍ଦ୍ର ବନ୍ୟାପାଣିରେ ପ୍ରଭାବିତ ହୋଇଛି। ଫଳରେ ଦେଶର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।

ରାଜପଥ ଯୋଗାଯୋଗ ବିଚ୍ଛିନ୍ନ

ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ନେପାଳର ଅନେକ ପ୍ରମୁଖ ଜାତୀୟ ରାଜପଥ କ୍ଷତିଗ୍ରସ୍ତ ହୋଇଛି। କେତେକ ରାସ୍ତାକୁ ଯାତାୟାତ ପାଇଁ ବନ୍ଦ କରାଯାଇଥିବାରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ମଧ୍ୟ ଚ୍ୟାଲେଞ୍ଜିଂ ହୋଇପଡ଼ିଛି।

ସହାୟତା ପାଇଁ ଆଗେଇଲା ଭାରତ

ନେପାଳର ଏହି ଦୁର୍ଦ୍ଦିନରେ ଭାରତ ସହାୟତାର ହାତ ବଢ଼ାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହ ଟେଲିଫୋନ୍‌ରେ ଆଲୋଚନା କରି ବନ୍ୟାରେ ହୋଇଥିବା ଜୀବନହାନି ପାଇଁ ଶୋକ ପ୍ରକାଶ କରିଛନ୍ତି। ସଙ୍କଟ ସମୟରେ ନେପାଳକୁ ସମସ୍ତ ପ୍ରକାର ମାନବୀୟ ସହାୟତା ଯୋଗାଇଦେବାକୁ ଭାରତ ପ୍ରସ୍ତୁତ ଥିବା ସେ ଆଶ୍ୱାସନ ଦେଇଛନ୍ତି।

ଏପଟେ ନେପାଳ ସରକାର ଜରୁରୀ ବୈଠକ ଡାକି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି। ମେଡିକାଲ ଟିମ୍‌, ସ୍କାଉଟ୍ସ ଓ ରେଡକ୍ରସ ସହ ସମନ୍ୱୟରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ କାର୍ଯ୍ୟ ଚାଲିଛି।

ନେପାଳର ପାହାଡ଼ିଆ ଅଞ୍ଚଳରେ ବନ୍ୟାର ତୀବ୍ରତା ଓ ଯୋଗାଯୋଗ ବ୍ୟବସ୍ଥା ଠପ୍ ହୋଇଥିବାରୁ ନିଖୋଜଙ୍କ ସନ୍ଧାନ ଏବଂ ଉଦ୍ଧାରକାର୍ଯ୍ୟ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

Leave a Reply

Your email address will not be published. Required fields are marked *